ରାଜଧାନୀରେ ଗର୍ଜିଲେ ଜମାକାରୀ

ଭୁବନେଶ୍ୱର: ଚିଟ୍ଫଣ୍ଡ ଜମାକାରୀ ମଙ୍ଗଳବାର ରାଜଧାନୀରେ ଏକାଠି ହୋଇଛନ୍ତି । ମିଳିତ ମଂଚର ଡାକରାରେ ଏକାଠି ହୋଇଥିବା ଏହି ଜମାକାରୀମାନେ ନିଜର ଦାବି ପୂରଣ ନ ହେଲେ ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ କରିବାକୁ ଧମକ ଦେଇଛନ୍ତି । ଏନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ପଟେ ଜମାକାରୀ ନିଜ ଦାବି ପାଇଁ ସତ୍ୟାଗ୍ରହ କରିବେ ବୋଲି ଧମକ ଦେଉଥିବାବେଳେ ଅନ୍ୟପଟେ ଏହାର ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ସେ କହିଛନ୍ତି ଯେ, ସରକାରଙ୍କ ଉପରୁ ଜମାକାରୀଙ୍କ ଆସ୍ଥା ତୁଟିନି । କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକ୍ରିୟାରେ ସ୍ୱଚ୍ଛତା ରଖିବାକୁ ଯଥେଷ୍ଟ ସତର୍କତା ଅବଲମ୍ବନ ହେଉଥିବାରୁ କିଛିଟା ବିଳମ୍ବ ହୋଇଛି । ଜମାକାରୀଙ୍କ ସହ ସମସ୍ତେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସୂଚନାଥାଉ କି, ରାଜ୍ୟର ପ୍ରାୟ ୨୦ଲକ୍ଷ ଜମାକାରୀ ଚିଟ୍ଫଣ୍ଡ ଜମା କରିଥିବା ଟଙ୍କା ହରାଇଛନ୍ତି ।