ରାଖୀଙ୍କ ନାଁରେ ମାମଲା ରୁଜୁ

ପୁଣି ସମସ୍ୟାରେ ପଡ଼ିଛନ୍ତି କଣ୍ଟ୍ରୋଭର୍ସି କୁଇନ୍ ରାଖୀ ସାୱନ୍ତ। ତାଙ୍କ ନାଁରେ ଥାନାରେ ଦିଆଯାଇଛି ଏଫ୍‌ଆଇଆର। ଆଦିବାସୀଙ୍କ ପୋଷାକକୁ ଉପହାସ କରିବା ଅଭିଯୋଗରେ ଝାଡ଼ଖଣ୍ଡର ରାଞ୍ଚିରେ ତାଙ୍କ ବିରୋଧରେ ଦିଆଯାଇଛି ଏଫ୍‌ଆଇଆର୍‌। କେନ୍ଦ୍ରୀୟ ସରନା ସମିତିର ସଭାପତି ଅଜୟ ତିର୍କୀ ତାଙ୍କ ବିରୋଧରେ ଦେଇଛନ୍ତି ଏହି ଏତଲା।

ଶ୍ରୀ ତିର୍କୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରାଖୀ ସାୱନ୍ତ ଆଦିବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି, ‘ଆପଣମାନେ ମୋ ନୂଆ ଲୁକ୍‌ ଦେଖୁଛନ୍ତି? ଏହା ହେଉଛି ଟ୍ରାଇବାଲ୍ ଲୁକ୍.’। ରାଖୀ ଏକ ସେମି-ନ୍ୟୁଡ୍ ଆଉଟ୍‌ଫିଟ୍ ପିନ୍ଧି ତାହା ଆଦିବାସୀଙ୍କ ପୋଷାକ ବୋଲି କହୁଛନ୍ତି। ଏହା ଆଦିବାସୀ ମହିଳାଙ୍କ ସମ୍ମାନକୁ କ୍ଷୁଣ୍ଣ କରିଛି। ତା’ ସହିତ ଏହା ପୂରା ସଂପ୍ରଦାୟକୁ ଅପମାନିତ କରିଛି।

ରାଖୀ ସାୱନ୍ତ କ୍ଷମା ମାଗନ୍ତୁ ବୋଲି ଅଜୟ ତିର୍କୀ ଦାବି କରିଛନ୍ତି। ନହେଲେ ତାଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ। ଏମିତିକି ହିଂସାକାଣ୍ଡ ବି ଘଟିବ ବୋଲି ଅଜୟ ଚେତାବନୀ ଦେଇଛନ୍ତି। ଏସ୍‌ସି ଆଣ୍ଡ ଏସ୍‌ଟି ଆକ୍ଟ, ୧୯୮୯ (ପ୍ରିଭେନସନ୍ ଅଫ୍ ଆଟ୍ରୋସିଟିଜ୍‌)ରେ ରାଖୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ତିର୍କୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଭାଇରାଲ ହେଉଥିବା ଏହି ଭିଡିଓକୁ ରାଖୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ।