ଯାଜପୁରରେ ୨ ପଂଚାୟତ କଂଟେନମେଂଟ ଜୋନରେ ହେଲା ସାମିଲ

ଜିଲ୍ଲାରେ ରବିବାର ଖୋଲିବ ବହିଦୋକାନ ଓ ବୁଧବାର, ଶୁକ୍ରବାର, ରବିବାର ଖୋଲିବ ଆମିଷ ଦୋକାନ

ଯାଜପୁର : ଯାଜପୁରରେ ୨ ପଂଚାୟତ କଂଟେନମେଂଟ ଜୋନରେ ହେଲା ସାମିଲ କରାଯାଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ୨ଟି ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ତେବେ ଦଶରଥପୁର ବ୍ଲକର କଟିକଟା ଓ ମଲ୍ଲିକାପୁର ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଆଜି ସକାଳ ୮ଟାରୁ ଲାଗୁ ହୋଇଥିବା ଏହି କଂଟେନମେଂଟ ଜୋନ ଆଗାମୀ ମେ’ ମାସ ୧୦ ତାରିଖ ଯାଏଁ ବଳବତର ରହିବ ।

ସୂଚନା ଅନୁସାରେ କଟିକଟା ପଂଚାୟତର କଟିକଟା ଓ ବହିପୁର ଗାଁକୁ ଏବଂ ମଲ୍ଲିକାପୁର ପଂଚାୟତର ମହାନ୍ତିପାଟଣା ଓ ମଲ୍ଲିକାପୁର ଗାଁର କିଛି ଅଂଶକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ପୂର୍ବରୁ ବିରଜାପୁର ପଂଚାୟତକୁ ଜିଲ୍ଲା ପ୍ରଶାସନ କଂଟେନମେଂଟ ଜୋନ ଘୋଷଣା କରିଥିଲା ।

ସେହିପରି ଦୋକାନଗୁଡ଼ିକ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଗାଇଡଲାଇନ ଜାରି କରାଯାଇଛି । ଜିଲ୍ଲାରେ ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଦୋକାନଗୁଡ଼ିକ ଖୋଲିବ । କେବଳ ଔଷଧ, ପାଥୋ ଲ୍ୟାବ, ଗ୍ରୋସରୀ ଓ ପରିବା ଦେକାନ ଖୋଲିବା ପାଇଁ ଅନୁମତି ମିଳିବ । ଆମିଷ ଦୋକାନ ଗୁଡ଼ିକ ବୁଧବାର, ଶୁକ୍ରବାର ଓ ରବିବାର ଖୋଲିବ । କିନ୍ତୁ ବହି ଦୋକାନ କେବଳ ରବିବାର ଖୋଲିବ । କୃଷି ଉପକରଣ, ଏଲପିଜି ଗ୍ୟାସ ଏଜେନ୍ସି, ଫ୍ୟାନ ମରାମତି ଦୋକାନ, ମୋବାଇଲ ରିଚାର୍ଜ, ସାଇକେଲ ମରାମତି, ଫଳ ଓ କ୍ଷୀର ଦୋକାନ ଖୋଲିବ । ସେହିଭଳି ଜାତୀୟ ରାଜପଥରେ ନିଦ୍ଦିଷ୍ଟ ଅନୁମତିପ୍ରାପ୍ତ ଢାବା ଖୋଲିପାରିବ ।