ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ । ଭୁବନେଶ୍ୱରରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜନେସ୍ ମେଳାରେ ଯୋଗଦେବାକୁ ଆସିଛନ୍ତି ଅର୍ଜୁନ ରାମପାଲ। ଏହି ଅବସରରେ ଆଜି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନେକ ଆଲୋଚନା କରିଛନ୍ତି ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ।କେବଳ ଅର୍ଜୁନ ନୁହଁନ୍ତି ବରଂ ତାଙ୍କ ସହିତ ଓଡ଼ିଆ ମହିଳା ଉଦ୍ୟୋଗୀ ସୁକିର୍ତ୍ତୀ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।
ଉଭୟଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ ନବୀନ । ପରେ ଭାରତୀୟ ହକି ଟିମର ଏକ ଜର୍ସି ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କୁ ଉପହାର ଆକାରରେ ଦେଇଥିଲେ ନବୀନ । ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟ୍ୱିଟ କରି ଖୁସିବ୍ୟକ୍ତ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ଦେଶର ପ୍ରଥମ ମହିଳା ବିଜନେସ୍ ମେଳା। ଭୁବନେଶ୍ୱରର ଜନତା ମଇଦାନରେ ମେ ୪ରୁ ୮ ତାରିଖ ଯାଏ ଅନୁଷ୍ଠିତ ହେଉଛି ଏହି ମେଳା। ଆଜି ଏହାର ଶେଷ ଦିନ। ଦେଶର ଏହି ପ୍ରଥମ ୱିମେନ୍ସ ବିଜନେସ ମେଳାରେ ବ୍ୟବସାୟର ଅନେକ ନୂଆ ନୂଆ ଆଇଡିଆ ମିଳୁଛି । ବ୍ୟବସାୟ ବାଣିଜ୍ୟର ନୂଆ ନୂଆ କୌଶଳ, ବିଜେନସ ଆଇଡିଆ ପାଇଁ ଅନୁଷ୍ଠିତ ହେଉଥିବା ଏହି ମହିଳାରେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂଖ୍ୟାରେ ଲୋକେ ସାମିଲ ହେଉଛନ୍ତି । ନୂଆ ଉଦ୍ଦ୍ୟୋଗୀଙ୍କୁ ବ୍ୟବସାୟର ନୂଆ ରାସ୍ତା ଦେଖାଇବାରେ ଏହି ମେଳା ସହାୟତା କରୁଛି । ମେଳାରେ ଥିବା ସୁସଜ୍ଜିତ ତୋରଣ ସହ ବିଭିନ୍ନ ଷ୍ଟଲ ଅନେକଙ୍କୁ ଏହି ମେଳାକୁ ଟାଣି ଆଣିଛି ।
ଆଇଡବ୍ସୁଇସି ପକ୍ଷରୁ ଆୟୋଜିତ ହୋଇଥିବା ଏହି ମେଳାରେ ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଏଠି ସାମିଲ ହୋଇଛନ୍ତି । ବିଭିନ୍ନ ଷ୍ଟଲରେ ସେମାନେ ନିଜର ସାମଗ୍ରୀ ପ୍ରଦର୍ଶନ କରିବା ସହ ସେମାନଙ୍କ ଜିନିଷ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଷ୍ଟଲରୁ ହିଁ ସ୍ପଷ୍ଟ ଜଣାପଡୁଛି ଏହି ମହିଳା ଉଦ୍ୟୋଗୀ ସେମାନଙ୍କ ବ୍ୟବସାୟକୁ କେତେ ଗୁରୁତ୍ୱଦେଉଛନ୍ତି ।