ଆଫଗାନିସ୍ତାନ ପରେ ଏବେ ଇରାନ୍ରେ ବି ଆରମ୍ଭ ହୋଇଗଲାଣି ଏକଛତ୍ରବାଦ ଶାସନ । କ୍ଷୁର୍ଣ୍ଣ ହେବାରେ ଲାଗିଛି ମାନବାଧିକାର । ଫଳସ୍ବରୂପ ମହିଳାଙ୍କ ଉପରେ ଲାଗୁ ହେଉଛି ବିଭିନ୍ନ ପ୍ରତିବନ୍ଧକ । ପୂର୍ବରୁ ଇରାନ୍ରେ ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରତିବନ୍ଧକ ରହିଆସିଛି । ଆଉ ଏବେ ନୂଆ ନିୟମ ଲାଗୁ କରିଛନ୍ତି ସରକାର । କୌଣସି ଖେଳ ଦେଖିବା ପାଇଁ ମହିଳାଙ୍କୁ ଷ୍ଟାଡିୟମ ବାରଣ କରାଯାଇଛି ।
ଗତ ମାର୍ଚ୍ଚ ୨୯ ତାରିଖରେ ମାସାଦ୍ର ଇମାମ୍ ରେଜା ଫୁଟବଲ ଷ୍ଟାଡିୟମକୁ ପ୍ରବେଶ ଉପରେ କଟକଣା ଲାଗୁ କରିଥିଲେ ଇରାନ୍ ସରକାର । ସେଠାରେ ଫୁଟବଲ ମ୍ୟାଚ୍ ଖେଳାଯିବାକୁୁ ଥିଲା । କିନ୍ତୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଥିବା ବେଳେ ଭିତରକୁ ଛାଡିନଥିଲେ ଅଧିକାରୀ । ଏପରିକି ବଳପୂର୍ବକ ସେମାନଙ୍କୁ ବାହାର କରିଦେଇଥିଲେ ।
ଘଟଣାକୁ ନେଇ କ୍ଷୁବ୍ଧ ହୋଇଛି ଫିଫା । ଦାବି କରିଛି ତୁରନ୍ତ ସେହି ଷ୍ଟାଡିୟମରୁ ମ୍ୟାଚ୍ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ । ତୁରନ୍ତ ଷ୍ଟାଡିୟମକୁ ବ୍ୟାନ୍ କରିବାକୁ ଇରାନ୍ ସରକାରଙ୍କୁ ଦାବିକରିଛି ଫିଫା । ଏହା ସହିତ ଯେଉଁମାନେ ମହିଳାଙ୍କୁ ଭିତରେ ପଶିବାକୁ ଅନୁମତି ଦେଇନଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବୁକ ଦାବି ହୋଇଛି ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୯ ତାରିଖରେ ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ପାଇଁ, ଇରାନ୍ ଏବଂ ଲେବାନନ୍ ମଧ୍ୟରେ ଫୁଟବଲ ମ୍ୟାଚ୍ ଥିଲା । ଏଥିପାଇଁ ଟିକେଟ୍ ମଧ୍ୟ ବିକ୍ରି ସରିଥିଲା । କିନ୍ତୁ ଷ୍ଟାଡିୟମ ଭିତରକୁ ମହିଳାଙ୍କ ପ୍ରବେଶକୁ ବାରଣ କରିଥିଲେ କର୍ତ୍ତୃପକ୍ଷ । ପରେ ଏହାକୁ ବିରୋଧ କରି ଷ୍ଟାଡିୟମ ବାହାରେ ଧାରଣା ଦେଇଥିଲେ ହଜାର ହଜାର ସଂଖ୍ୟାରେ ମହିଳା ଏବଂ ଯୁବତୀ । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଦର୍ଶନକାରୀ ମହିଳାଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲେ କର୍ତ୍ତୃପକ୍ଷ । ୧୯୭୯ ଇସଲାମିକ ବିପ୍ଳବ ପରଠାରୁ, ଇରାନରେ ପୁରୁଷ ଖେଳ ଏବଂ ଅନ୍ୟାନ୍ୟ କ୍ରୀଡାରେ ଯୋଗଦେବାକୁ ମହିଳାମାନଙ୍କୁ ବାରଣ କରାଯାଇଛି ।
ISNA ନ୍ୟୁଜ୍ ରିପୋର୍ଟ ଅନୂଯାୟୀ, ମୋଟ ୧୨,୫୦୦ ଟିକେଟ୍ ବିକ୍ରି ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ୨ ହଜାର ଟିକେଟ୍ ମହିଳାମାନେ ବୁକିଂ କରିଥିଲେ । ତଥାପି ସେମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ମିଳିନଥିଲା । ଯାହାକୁ ନେଇ କ୍ଷୁବ୍ଧ ଫିଫା ମଧ୍ୟ ଇରାନ୍ କୁ ସଫାସଫା ଶୁଣାଇଦେଇଛି । ଫିଫା କହିଛି ଯେ, ଫୁଟବଲ୍ ବିଶ୍ବକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ରେ ମହିଳାଙ୍କ ପ୍ରବେଶ ନେଇ ସୁନିଶ୍ଚିତ କରୁ ଇରାନ୍ ।