ମହାରାଷ୍ଟ୍ର: ଆଜି ବିଧାନସଭା ବାଚସ୍ପତି ନିର୍ବାଚନ

ମୁମ୍ବାଇ: କିଣା-ବିକାକୁ ଭୟ କରି ଶିବସେନା, କଂଗ୍ରେସ ଏବଂ ଏନସିପି ନିଜର ବିଧାୟକମାନଙ୍କୁ ପଞ୍ଚତାରକା ହୋଟେଲରେ ରଖିଛି । ବିଧାନସଭା ପାଇଁ ରବିବାର ବାଚସ୍ପତି ନିର୍ବାଚନ ହେବ । ଏହା ପରେ ସେମାନଙ୍କୁ ମୁକ୍ତି ମିଳିପାରେ । ବିଧାୟକମାନଙ୍କର ଆଶା ଥିଲା ଯେ, ଠାକରେ ସରକାର ବହୁମତ ପ୍ରମାଣିତ ହାସଲ କରିବା ପରେ ଶନିବାର ସେମାନଙ୍କୁ ମୁକ୍ତି ମିଳିଯିବ କିନ୍ତୁ ଏମିତି କିଛି ହୋଇ ନାହିଁ । ବିଧାୟକମାନଙ୍କ ଆଶା ଥିଲା ଯେ, ସେମାନେ ଶନିବାର ସନ୍ଧ୍ୟାରେ ଘରକୁ ଯିବେ ।

ପଞ୍ଚ ତାରକା ହୋଟେଲ ଓ ରିସର୍ଟରେ ବିଧାୟକମାନଙ୍କ ସମୟ ବହୁ କଷ୍ଟରେ ବିତୁଛି । ଜଣେ ବିଧାୟକ ନିଜ ନାମ ଗୋପନ ରଖି ଗଣମାଧ୍ୟମକୁ କହିଛନ୍ତି, ତାସ ଖେଳି, ଟିଭି ଦେଖି ଓ ମୋବାଇଲରେ ସମୟ କାଟୁଛନ୍ତି । ସେହିପରି ଅନ୍ୟ ବିଧାୟକମାନେ ଜିମ ଓ ସୁଇମିଂରେ ସମୟ ଦେଉଛନ୍ତି ।

ଶିବସେନା ବହୁମତ ହାସଲ କରିବା ପରେ ଠାକରେ ସରକାରଙ୍କ ଦ୍ୱିତୀୟ ଥର ଅଗ୍ନି ପରୀକ୍ଷା ରବିବାର ହେବ । ଏକ ସ୍ୱତନ୍ତ୍ର ଅଧିବେଶନରେ ଆଜି ପୂର୍ବାହ୍ନରେ ବାଚସ୍ପତି ନିର୍ବାଚନ ପାଇଁ ମତଦାନ ହେବ । ଏହି ପଦ ପାଇଁ ମହା ବିକାଶ ଅଘାଡ଼ି ସରକାର କଂଗ୍ରେସ ନେତା ନାନା ପାଟୋଲେଙ୍କୁ ଓହ୍ଲାଇଛି । ବିଜେପି କିଶନ ଥଥୋରେଙ୍କୁ ନିଜର ପ୍ରାର୍ଥୀ କରିଛି ।