ନୂଆଦିଲ୍ଲୀ: ୨୦୨୦ରେ ଭାରତ ୧୭ ବର୍ଷରୁ କମ୍ ବୟସ୍କା ମହିଳା ଫିଫା ଓ୍ଵାର୍ଲଡ୍ କପ୍ ଆୟୋଜନ କରିବ ବୋଲି ଶୁକ୍ରବାର ଦିନ ଫିଫା ଅଧ୍ୟକ୍ଷ ଜିଆନି ଇନ୍ଫାଣ୍ଟିନୋ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ମିଆମି ଠାରେ ଫିଫା କାଉନ୍ସିଲ୍ ବୈଠକ ଶେଷ ହେବା ପରେ ଇନ୍ଫାଣ୍ଟିନୋ କହିଲେ: ୨୦୨୦ରେ ଭାରତ ୧୭ ବର୍ଷରୁ କମ୍ ବୟସ୍କା ମହିଳା ଫିଫା ଓ୍ଵାର୍ଲଡ୍ କପ୍ ଆୟୋଜନ କରିବା ବୋଲି ନିଶ୍ଚିତ କରାଯାଇଥିବା କଥା ଘୋଷଣା କରି ଆମେ ଆନନ୍ଦିତ। ଭାରତ ଦ୍ୱିତୀୟ ଥର ଲାଗି ଫିଫା ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିବାକୁ ଯାଉଛି। ୨୦୧୭ରେ ଭାରତ ୧୭ ବର୍ଷରୁ କମ୍ ପୁରୁଷ ବିଶ୍ୱ କପ୍ ଆୟୋଜନ କରିଥିଲା। ଏ ସଂକ୍ରାନ୍ତରେ ନିଶ୍ଚିତ କରି ଅଲ୍ ଇଣ୍ଡିଆ ଫୁଟ୍ବଲ୍ ଫେଡେରେସନ୍ ଜେନେରାଲ୍ ସେକ୍ରେଟେରି କୁଶଳ ଦାସ କହିଛନ୍ତି: ୧୭ ବର୍ଷରୁ କମ୍ ବୟସ୍କା ମହିଳା ଓ୍ଵାର୍ଲଡ୍ କପ୍ ଆୟୋଜନ କରିବାକୁ ଅଧିକାର ଦେଇଥିବାରୁ ଆମେ ଫିଫା ପ୍ରତି କୃତଜ୍ଞ। ଏହା ଦେଶରେ ମହିଳା ଫୁଟ୍ବଲ୍ର ପ୍ରୋଫାଇଲ୍ ବଢ଼ାଇବ।
ଖୁବ୍ ଶୀଘ୍ର ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନସ୍ଥଳୀ ସବୁ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି। ଚାରି ପାଞ୍ଚଟି ଜାଗା ଆମ ମନରେ ଅଛି। ଆମେ ଖୁବ୍ ଶୀଘ୍ର ଚୂଡ଼ାନ୍ତ କରିବୁ।