ଆପଣ ଟ୍ରେନ ଯାତ୍ରା କରୁଥିବା ସମୟରେ ଅନେକ ଜରୁରୀ କଥାକୁ ନିଶ୍ଚିତ ଧ୍ୟାନରେ ରଖିଥିବେ। ଟ୍ରେନରେ ଯାତ୍ରା କରିବା ସମୟରେ ମାତ୍ର ଗୋଟିଏ ଛୋଟ ଭୁଲ୍ ଆପଣଙ୍କୁ ସମସ୍ୟାରେ ପକାଇପାରେ। ତେଣୁ ଟ୍ରେନରେ ଯାତ୍ରା କରିବା ପୂର୍ବରୁ ସବୁ ନିୟମ ଜାଣିବା ଜରୁରୀ। ଭାରତୀୟ ରେଲେଓ୍ଵ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି କେତେକ ନିୟମରେ ପରିବର୍ତ୍ତନ କରିଛି। ଆଉ ଏହି ନିୟମକୁ ଟ୍ରେନରେ ଯାତ୍ରା କରିବା ପୂର୍ବରୁ ସବୁ ଯାତ୍ରୀ ଜାଣିବା ଉଚିତ।
ରେଳବାଇର ନୂଆ ନିୟମ ମୁତାବକ, ଆପଣ ନିଜ ସିଟ୍, ଟ୍ରେନ ବଗି କିମ୍ବା କୋଚରେ ବଡ ପାଟିରେ ମୋବାଇଲରେ କଥାବାର୍ତ୍ତା ହୋଇପାରିବେ ନାହିଁ। ତା’ ଛଡା ଆପଣ ଜୋରରେ ଗୀତ ବଜାଇପାରିବେ ନାହିଁ। ଏହି ନିୟମ ଯାତ୍ରୀଙ୍କ ସୁବିଧା ପାଇଁ କରାଯାଇଛି। ଯାତ୍ରୀମାନେ ଯାତ୍ରା ସମୟରେ ଆରାମରେ ଶୋଇପାରିବେ ତେଣୁ ଏଭଳି ନିୟମ କରାଯାଇଛି।
ରିପୋର୍ଟ ମୁତାବକ, ଅନେକ ଯାତ୍ରୀ ଟ୍ରେନରେ ଯାତ୍ରା କରିବା ସମୟର ଫୋନରେ ବଡ ପାଟିରେ କଥା ହେବା, ଗୀତ ବଜାଇବା ଯୋଗୁଁ ଅନ୍ୟ ଯାତ୍ରୀମାନେ ବିରକ୍ତି ଭାବ ପ୍ରକାଶ କରନ୍ତି। ଆଉ ଅନେକ ଯାତ୍ରୀ ରେଳବାଇ ମେଣ୍ଟେନାନ୍ସ ଷ୍ଟାଫ୍ ନିକଟରେ ଅଭିଯୋଗ କରନ୍ତି। ଅନେକ ଥର କିଛି ଲୋକ ରାତି ୧୦ଟା ପରେ ମଧ୍ୟ ଲାଇଟ୍ ଜଳାଇ ରଖନ୍ତି। ଯାହାଦ୍ୱାରା ନିଦ ଉପରେ ପ୍ରଭାବ ପଡିଥାଏ। ତେଣୁ ରେଳବାଇ ଏହିସବୁ ନିୟମରେ ପରିବର୍ତ୍ତନ ଆଣିଛି। ଯାହାକୁ ଯାତ୍ରୀମାନେ ପାଳନ କରିବାକୁ ବାଧ୍ୟ। ନଚେତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳବାଇ କହିଛି।
ରେଳବାଇ ଅନୁଯାୟୀ, ଆପଣ ଯାତ୍ରା ସମୟରେ ରାତି ୧୦ଟା ପରେ ମୋବାଇଲରେ ବଡ ପାଟି କରି ଗପିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେତିକି ନୁହେଁ ଜୋରରେ ଗୀତ ବଜାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଏସବୁ ବିଷୟରେ କୌଣସି ଯାତ୍ରୀ ଟ୍ରେନ ମେଣ୍ଟେନାନ୍ସ ଷ୍ଟାଫକୁ ଅଭିଯୋଗ କରନ୍ତି, ତେବେ ଏହାର ଦାୟିତ୍ୱ ସେମାନେ ନେବେ। ଆଉ ଯାତ୍ରୀ ଯଦି ସେମାନଙ୍କ କଥା ନ ଶୁଣନ୍ତି, ତେବେ ରେଳବାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ।