ଭାରତକୁ ଆସି ବୋରିସ୍ ଜନସନ ପ୍ରଥମେ ଚରଖା ପରେ ଚଲାଇଲେ ଜେସିବି

ଗତକିଛି ଦିନ ହେବ ଭାରତରେ ‘ବୁଲଡୋଜର’ ଖବରର ଶିରୋନାମା ପାଲଟିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ପରେ ‘ବୁଲଡୋଜର ଜ୍ୱର’ ମଧ୍ୟ ଗୁଜୁରାଟରେ ପହଞ୍ଚିଛି। ଆଉ ଏବେ ବୋଲଡୋଜର ପ୍ରେମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। ଗୁଜୁରାଟ ଗସ୍ତବେଳେ ଜେସିବି ଉପରେ ଚଢି ଫେଟୋ ଉଠାଇବା ସହ ଜେସିବି ଚଳାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ।

ଦୁଇଦିନିଆ ଭାରତଗସ୍ତର ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ପ୍ରଥମ ଦିନରେ ଗୁରୁବାର ସକାଳେ ଗୁଜୁରାଟର ଅହମଦାବାଦ ଠାରେ ପହଂଚିବା ପରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।ଭାରତରେ ପହଞ୍ଚିବା ପରେ ସେ ପ୍ରଥମେ ଗୁଜରାଟର ଅହମଦାବାଦରେ ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ। କେବଳ ଏତିକି ନୁହେଁ, ବୋରିସ୍ ଏଠାରେ ଚରଖା ଚଲାଇବା ମଧ୍ୟ ଶିଖିଥିଲେ ବୋଲି ଜଣାପଡ଼ିଛି। ବୋରିସ ଜନସନ ଚରଖା ଚଳାଉଥିବାର ଫଟୋ ଓ ଭିଡିଓ ଭାଇରାଲ ହେଉଥିବା ବେଳେ ସେ ତଳେ ବସି ଚରଖା ଚଳାଉଥିବା ଦେଖାଯାଇଛି।

ସାବରମତି ଆଶ୍ରମରୁ ବାହାରିବା ପୂର୍ବରୁ ବୋରିସ୍ ଜନସନ ଗାନ୍ଧୀ ଆଶ୍ରମର ପରିଦର୍ଶକ ପୁସ୍ତକରେ ନିଜ ମନ କଥା ଲେଖିଥିଲେ। ଆଶ୍ରମକୁ ଆସିବା ଏବଂ ବିଶ୍ବକୁ ବଦଳାଇବା ପାଇଁ ସେ କିପରି ସତ୍ୟ ଏବଂ ଅହିଂସା ଭଳି ସରଳ ନୀତି ଆପଣାଇଥିଲେ ତାହା ବୁଝିବା ମୋ ପାଇଁ ଭାଗ୍ୟର ବିଷୟ ବୋଲି ପୁସ୍ତକରେ ଲେଖିଥିଲେ ଜନସନ। ତାଙ୍କର ଅହମଦାବାଦ ଗସ୍ତ ସମୟରେ ଜନସନ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀଙ୍କୁ ମଧ୍ୟ ଭେଟିଥିଲେ। ଦୁହେଁ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଥିଲେ।

ଏହାପରେ ଅନ୍ୟକାର୍ଯ୍ୟକ୍ରମରେ ଯୋଗଦେବା ପରେ ଜନସନ ଗୁଜୁରାଟର ଭଦୋଦରା ଠାରେ ଜେସିବି ଉତ୍ପାଦନ କରୁଥିବା ବୁଲଡୋଜରର ଏକ ୟୁନିଟ୍ ପରିଦର୍ଶନ କରିଛନ୍ତି ।ସେଠାରେ ବୋରିସ୍ ଏକ ଜେସିବି ଉପରେ ଚଢି ଉଠାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ବୋଲଡୋଜର ଉପରେ ଚଢିବା ତାଙ୍କ ପାଇଁ ଏକ ସୁନ୍ଦର ଅନୁଭୂତି ଥିଲା ଓ ଗୁଜୁରାଟ ଆସିବା ତାଙ୍କପାଇଁ ସୌଭାଗ୍ୟର କଥା ବୋଲି ସେ କହିଛନ୍ତି।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ସେ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି । ଏହାସହ ଉଭୟଙ୍କ ମଧ୍ୟରେ ବାଣିଜ୍ୟ ସୁରକ୍ଷା ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ସେ କହିଥିଲେ ।ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯିବ। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଭେଟିବେ। କେବଳ ଏତିକି ନୁହେଁ ସେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି।