ବିନା ପାରିଶ୍ରମିକରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ ପଣ୍ଡିତ ରବିନ ସାର୍

ଜଳେଶ୍ୱର : ତାଙ୍କର ନିଶା ଓ ପେଶା ପିଲାଙ୍କୁ ପାଠ ପଢ଼ାଇବା। ସେଥିପାଇଁ ଅବସର ପରେ ବି ଛାଡ଼ି ନାହାନ୍ତି ପାଠ ପଢ଼ାଇବାର ଅଭ୍ୟାସ। ଆଜିକୁ ୨ ବର୍ଷ ହେଲାଣି ସ୍କୁଲ ଯାଇ ମାଗଣାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏହି ଶିକ୍ଷକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ପାଇକସିଦା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ରବିନ କୁମାର ମିଶ୍ର। ନିଜ ପାଦରେ ଚାଲିବା ପାଇଁ ବଳ ଥିବା ଯାଏ ସେ ଶିକ୍ଷାଦାନ କରିବେ ବୋଲି ଉତ୍ସାହର ସହ କୁହନ୍ତି ରବିନ ସାର୍‌। ୧୯୭୬ ମସିହାରେ ସଂସ୍କୃତ ଶିକ୍ଷକ ଭାବେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ରବିନ ମିଶ୍ର। ୨୦୧୭ ମସିହାରେ ଅବସର ନେଇଥିଲେ, ହେଲେ ଘରେ ରହିବାକୁ ସେ ପସନ୍ଦ କରୁନଥିଲେ। ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ପିଲାଙ୍କ ପଢ଼ାରେ ବ୍ୟାଘାତ ହେବ ସେଥିପାଇଁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ବିନା ପାରିଶ୍ରମିକରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି।