ବିନାନୁମତିରେ ପାଳନ କରାଯାଇପାରିବନି ବିଜୟ ଉତ୍ସବ

କରୋନା କଟକଣା ସବୁ ହଟିଗଲାଣି । ବିଜୟ ଉତ୍ସବ ପାଳନ ପାଇଁ ମଧ୍ୟ ନିର୍ବାଚନ କମିଶନ ଅନୁମତି ଦେଇସାରିଛନ୍ତି । ହେଲେ ଭୁବନେଶ୍ୱରେ ବିନାନୁମତିରେ ବିଜୟ ଉତ୍ସବ ପାଳନ କରାଯାଇପାରିବ ନାହିଁ । ଯେଉଁମାନେ ଅନୁମତି ନନେଇ ବିଜୟ ଉତ୍ସବ ପାଳନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟଯେ, ଆଜି ଭୁବନେଶ୍ୱର ମହାନଗର ନିଗମର ଭୋଟ ଗଣତି ଚାଲିଛି । ନିର୍ବାଚନରେ ବିଜେଡ଼ି ଦମଦାର ପ୍ରଦର୍ଶନ କରିଛି । ବିଳମ୍ବରେ ଭୋଟ ଗଣତି ହୋଇଥିଲେବି କେତେକ ୱାଡର଼୍ର ଫଳାଫଳ ପ୍ରକାଶ ପାଇସାରିଲାଣି । ବାଣ ଫୁଟାଇ ଲୋକମାନେ ବିଜୟ ଉତ୍ସବ ପାଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଭୁବନେଶ୍ୱରରେ ମନଇଚ୍ଛା ବିଜୟ ଉତ୍ସବ ପାଳନ କରାଗଲେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି । ପୁଣି ଏବେ ବିଧାନସଭା ଅଧିବେଶନ ମଧ୍ୟ ଚାଲିଛି । ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏସବୁକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।