ବିଧାନସଭାରେ ଆଗତ ହେଲା କାମଚଳା ବଜେଟ, “କାଳିଆ’ ପାଇଁ ୪୪୬୧ କୋଟି

ଭୁବନେଶ୍ବର : ବିଧାନସଭାରେ ଆଗତ ହେଲା ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ ବଜେଟ୍ । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଜି ଅନ୍ତରୀଣ ବଜେଟ୍ ଉପସ୍ଥାପିତ କରିଛନ୍ତି । ଓଡ଼ିଶା ସରକାର ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ୫୬,୯୨୧ କୋଟି ଟଙ୍କାର ଲେଖାନୁଦାନ ଆଗତ କରିଛନ୍ତି । ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ କାମ ଚଳା ବଜେଟ୍‌ ଉପସ୍ଥାପନ ହୋଇଛି । ଜାତୀୟ ଅଭିବୃଦ୍ଧି ହାରଠାରୁ ଓଡ଼ିଶା ଅଭିବୃଦ୍ଧି ହାର ଅଧିକ ରହିଛି ବୋଲି ଘୋଷଣା କରିଥିଲେ । ଜାତୀୟ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୮ ପ୍ରତିଶତ ରହିଛି । ସେହିଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ବ୍ୟୟବରାଦକୁ ଗୃହରେ ପେଶ୍‌ କରିଥିଲେ ଅର୍ଥମନ୍ତ୍ରୀ । ଗତ ୧୦ ବର୍ଷରେ ରାଜ୍ୟର ପରାୟ ୮୦ ଲକ୍ଷ ଲୋକ ଦାରିଦ୍ର‌୍ୟ ସୀମାରୁ ଉପରକୁ ଉଠିଛନ୍ତି ବୋଲି ସେ କହିଛନ୍ତି ।

ପିଠା ଯୋଜନା ପାଇଁ ବଜେଟରେ ୪୦୦ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ଟଙ୍କିକିଆ ଚାଉଳ ଯୋଜନା ପାଇଁ ସରକାର ୧୦୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ସେହିପରି କାଳିଆ ଯୋଜନା ପାଇଁ ୪୪୬୧ କୋଟି ଟଙ୍କା, ପିଠା ଯୋଜନା ପାଇଁ ୪୦୦ କୋଟି, କୃଷି ଋଣ ସୁଧ ରିହାତି ପାଇଁ ୮୦୦ କୋଟି, ବସୁଧା ଯୋଜନା ପାଇଁ ୨୯୩୫ କୋଟି ଟଙ୍କା, ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି ଓ ବିଜୁ ସ୍ବାସ୍ଥ୍ୟସେବା ଯୋଜନା ପାଇଁ ୮୬୪ କୋଟି ଟଙ୍କାର , ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦ କୋଟି, ମିଶନ ଶକ୍ତି ପାଇଁ ୩୦୧,ମମତା ଯୋଜନା ପାଇଁ ୩୦୫, ସଡ଼କ ଉନ୍ନୟନ ପାଇଁ ୧୩୦୦ ଟଙ୍କାର ବ୍ୟୟ ବରାଦ କରାଯାଇଛି ।