ବିଜେଡି ଛାଡିବେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର !

ବ୍ରହ୍ମପୁର: ଟିକେଟ୍ ପାଇଁ ବିଜେଡିରେ ବିଦ୍ରୋହ  । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡି ଛାଡିବା ପରେ ଏବେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡିବା ନେଇ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି  । ଏହି ଲୋକସଭା ଆସନରେ ଦଳ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିବା ପାଇଁ ଏକପ୍ରକାର ସ୍ଥିର କରିସାରିଛି  । ତେଣୁ ଏହି କ୍ରମରେ ସିଦ୍ଧାନ୍ତ ବିଜେଡି ଛାଡି ବିଜେପିରେ ସାମିଲ୍ ହେବେ ବୋଲି ଶୁଣାଯାଉଛି । ଏନେଇ ସିଦ୍ଧାନ୍ତ ରାଜ୍ୟ ବିଜେପିର କିଛି ନେତାଙ୍କ ସହ ଯୋଗାଯୋଗର ରହିଥିବା ଶୁଣିବାକୁ ମିଳୁଛି  । ଏଠାରେ ଉଲ୍ଲେଖଯୋଗ୍ୟ ବିଜେଡିର ଗୋଟିଏ ପରେ ଗୋଟିଏ ନେତା ଏବେ ବିଜେଡି ଛାଡି ବିଜେପିରେ ସାମିଲ୍ ହେବାରେ ଲାଗିଛନ୍ତି  । ଦଳ ଅଧିକାଂଶ ଆସନରେ ନୂଆ ମୁହଁ  ଓ ମହିଳା ପ୍ରାର୍ଥୀ ଦେବାକୁ ସ୍ଥିର କରିଥିବା ବେଳେ ବିଜେଡିରେ ଏହାକୁ ନେଇ ଏକପ୍ରକାର ବିଦ୍ରୋହ ଆରମ୍ଭ ହୋଇଛି  । ସୂଚନାଯୋଗ୍ୟ ଯେ, ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ଦଳରୁ ଦୁଇଥର ସାଂସଦ ହୋଇଛନ୍ତି  । ସେ ବର୍ତମାନର ବିଜେଡି ନେତା ତଥା ସେତେବେଳର କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ  । ତେବେ ଚନ୍ଦ୍ରଶେଖର ବିଜେଡିରେ ଯୋଗଦାନ କରିବା ପରେ ଦଳ ଚଳିତ ଥର ତାଙ୍କୁ ପ୍ରାର୍ଥୀ କରିବା ନେଇ ଏକପ୍ରକାର ସ୍ଥିର କରିସାରିଛି  । ଯାହାକୁ ନେଇ ବ୍ରହ୍ମପୁର ବିଜେଡିରେ ଏକପ୍ରକାର ବିଦ୍ରୋହ ଆରମ୍ଭ ହୋଇଯାଇଛି  ।