ବାପା-ମା’ଙ୍କ ଠାରୁ ବାହାଘର ଖର୍ଚ୍ଚ ଦାବି କରିପାରିବେ ଅବିବାହିତ ଝିଅ

ଆମ ସମାଜରେ ପରିବାରରେ ଝିଅ ଟିଏ ରହିଲେ ବାପା-ମା ତାର ବିବାହକୁ ନେଇ ଟିକେ ଚିନ୍ତାରେ ରହିଥାନ୍ତି। ମଧ୍ୟବିତ୍ତ ଘରେ ତ ଝିଅ ବିବାହ ପାଇଁ ପିତାମାତା ବହୁ ଆଗରୁ ଟଙ୍କା ସଞ୍ଚୟ ଆରମ୍ଭ କରିଦିଅନ୍ତି। ଝିଅକୁ କିପରି ଭଲ ଘରେ ଗୋଟିଏ ଭଲ ପୁଅ ସହ କରିବେ ସେ ନେଇ ସୋମାନେ ଭାବୁଥାନ୍ତି। ଏଥି ସହିତ ଝିଅ ବାହାଘରକୁ ଟିକେ ଧୁମ୍‌ଧାମରେ କରିବେ ସେନେଇ ଟଙ୍କା ସଞ୍ଚୟ କରିଥାନ୍ତି।

କିନ୍ତୁ ଛତିଶଗଡ଼ ହାଇକୋର୍ଟରେ ଏପରି ଏକ କେସ୍‌ର ଣୁଣାଣି କରାଯାଇଛି ଯାହା ଶୁଣିଲେ ଆପଣ ଟିକିଏ ଆଶ୍ଚର୍ଯ୍ୟ ହେବେ ,କାରଣ ଆପଣ ଏହା କେବେ ଶୁଣିନଥିବେ।

ଘଟଣାଟି ହେଉଛି ଛତିଶଗଡ଼ ହାଇକୋର୍ଟରେ ଜଣେ ଅବିବାହିତ ଝିଅ ନିଜ ବାପା ମା’ଙ୍କ ଠାରୁ ବାହାଘର ଖର୍ଚ୍ଚ ବାବଦ ଅର୍ଥ ମାଗି ଏକ ମାମଲା କରିଥିଲେ। ଯେଉଁ ମାମଲାର ଶୁଣାଣି କରି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କହିଛନ୍ତି ଯେ ଜଣେ ଅବିବାହିତ ଝିଅ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ, ୧୯୫୬ର ବ୍ୟବସ୍ଥା ଅନୁଯାୟୀ ନିଜ ପିତାମାତାଙ୍କ ଠାରୁ ବିବାହ ଖର୍ଚ୍ଚ ଦାବି କରିପାରିବ।ଏହା ସେମାନଙ୍କ ଆଇନଗତ ଅଧିକାର ବୋଲି କୋର୍ଟ କହିଛନ୍ତି।ଅବିବାହିତ ଝିଅଟିଏ ବାହାଘର ଖର୍ଚ୍ଚ ଦାବି କରିପାରିବେ ବୋଲି କୋର୍ଟ ରାୟ ଦେଇଛନ୍ତି।

ସୂଚନାଅନୁସାରେ ଛତିଶଗଡ଼ ଦୁର୍ଗ ଜିଲ୍ଲାର ମୂଳ ବାସିନ୍ଦା ଥିବା ୩୫ ବର୍ଷୀୟା ମହିଳା ରାଜେଶ୍ୱରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ଓକିଲ ଏ କେ ତିୱାରୀ କହିଛନ୍ତି ଯେ ମାର୍ଚ୍ଚ ୨୧ରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଗୌତମ ଭଦୁରୀ ଏବଂ ଜଷ୍ଟିସ ସଞ୍ଜୟ ଏସ ଅଗ୍ରୱାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଶୁଣାଣି ପାଇଁ ଅନୁମତି ଦେଇଥିଲେ। ଶୁଣାଣି ପରେ ଏହି ମାମଲାରେ ରାୟ ପ୍ରଦାନ କରି ଖଣ୍ଡପୀଠ କହିଛନ୍ତି ଯେ ଜଣେ ଅବିବାହିତ ଝିଅ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଆଇନ, ୧୯୫୬ର ବ୍ୟବସ୍ଥା ଅନୁଯାୟୀ ପିତାମାତାଙ୍କ ଠାରୁ ନିଜ ବିବାହର ଖର୍ଚ୍ଚ ଦାବି କରିପାରିବ।

ଏହି ମାମଲାରର ଶୁଣାଣି କାଳରେ ଖଣ୍ଡପୀଠ ୨୨ ଅପ୍ରେଲ ୨୦୧୬ରେ ଦୁର୍ଗ ପାରିବାରିକ ଅଦାଲତର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶକୁ ଅଲଗା କରି ୧୯୫୬ ଅଧିନିୟମର ଧାରା ୩(ଖ)(୨)ର ଅନୁଯାୟୀ ଏହାର ବିଚାର ପାଇଁ ଏହି ମାମଲାକୁ ପାରିବାରିକ ଅଦାଲତକୁ ଆଉଥରେ ପଠାଇବା ସହ ଅଦାଲତ ପକ୍ଷମାନଙ୍କୁ ପାରିବାରିକ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ମାମଲାର ବିବରଣୀରୁ ପ୍ରକାଶ, ଭିଲାଇ ଷ୍ଟିଲ୍ ପ୍ଲାଣ୍ଟର ଜଣେ କର୍ମଚାରୀ ଭାନୁ ରାମଙ୍କ ଝିଅ ରାଜେଶ୍ୱରୀ ଦୁର୍ଗ ପରିବାର ଅଦାଲତରେ ଏକ ଆବେଦନ କରିଥିଲେ ଏବଂ ବିବାହ ଖର୍ଚ୍ଚ ବାବଦରେ ତାଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କାର ରକ୍ଷଣାବେକ୍ଷଣ ଦେବାକୁ ଦାବି କରିଥିଲେ। ପାରିବାରିକ ଅଦାଲତ ୭ ଜାନୁଆରି ୨୦୧୬ରେ ଏହି ଆବେଦନକୁ ଖାରଜ କରି କହିଥିଲେ ଯେ ଏହି ଆଇନରେ କୌଣସି ବ୍ୟବସ୍ଥା ନାହିଁ ଯେ ଜଣେ ଝିଅ ନିଜ ବିବାହର ଖର୍ଚ୍ଚ ଦାବି କରିପାରିବ।

ରାଜେଶ୍ୱରୀ ତାଙ୍କ ଆବେଦନରେ କହିଥିଲେ ଯେ ତାଙ୍କ ପିତା ଭାନୁ ରାମ ଅବସର ନେବାକୁ ଯାଉଛନ୍ତି ଏବଂ ଅବସରକାଳୀନ ପ୍ରାପ୍ୟ ଭାବରେ ୫୫ ଲକ୍ଷ ଟଙ୍କା ପାଇବାର ସମ୍ଭାବନା ରହିଛି। ତେଣୁ ତାଙ୍କ ପିତାଙ୍କ ନିଯୁକ୍ତିଦାତା ଭିଲାଇ ଷ୍ଟିଲ ପ୍ଲାଣ୍ଟକୁ ତାଙ୍କ ସପକ୍ଷରେ ୨୦ ଲକ୍ଷ ଟଙ୍କା ଅବସର କାଳୀନ ପ୍ରାପ୍ୟର ଏକ ଅଂଶ ରୂପେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ତେବେ, ପାରିବାରିକ ଅଦାଲତ ଆଇନରେ ଏପରି କୌଣସି ବ୍ୟବସ୍ଥା ନଥିବା କହି ଏହି ଆବେଦନକୁ ଖାରଜ କରି ଦେଇଥିଲେ।ପରବର୍ତ୍ତୀ ସମୟରେ ପାରିବାରିକ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ରାଜେଶ୍ୱରୀ ହାଇକୋର୍ଟରେ ଆବେଦନ କରି କହିଥିଲେ ଯେ ଆଇନ ଅନୁଯାୟୀ, ଜଣେ ଅବିବାହିତ ଝିଅ ତାଙ୍କ ପିତାଙ୍କ ଠାରୁ ବିବାହ ଖର୍ଚ୍ଚ ଦାବି କରିପାରିବ ଏବଂ ଦାବି କରିଥିଲେ ଯେ ଏହି ଖର୍ଚ୍ଚ ରକ୍ଷଣାବେକ୍ଷଣ ଅଧୀନରେ ଆସୁଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।