ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛି ଶକ୍ତି ବିଭାଗ, ୱାରରୁମ୍ ପ୍ରସ୍ତୁତ ଥିବା କହିଲେ ମନ୍ତ୍ରୀ
୮ ସଂଧ୍ୟାରେ ଲଘୁଚାପ ନେଇପାରେ ବାତ୍ୟାର ରୂପ
ଆଣ୍ଡାମାନ ସାଗରରେ ୮ତାରିଖ ସଂଧ୍ୟାରେ ଲଘୁଚାପ ନେଇପାରେ ବାତ୍ୟାର ରୂପ । ୧୦ ତାରିଖ ଉପକୂଳ ପହଞ୍ଚିବା ସମ୍ଭାବନା ରହିଛି। ଆଜି ଲଘୁଚାପରେ ପରିଣତ ହୋଇଛି ଘୂର୍ଣ୍ଣିବଳୟ। ଆସନ୍ତାକାଲି ଲଘୁଚାପ ଅବପାତରେ ପରିଣତ ହେବ। ଏହାପରେ ୮ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ଧାରଣ କରିବା ସମ୍ଭାବନା ରହିଛି ।
ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ପ୍ରସ୍ତୁତ ରହିଛି ଶକ୍ତି ବିଭାଗ । ବାତ୍ୟା ପୂର୍ବ, ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି ।
ପୂର୍ବରୁ ମଧ୍ୟ କମ୍ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି । ଏବେବି ପ୍ରସ୍ତୁତ ରହିବା ସହସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓପିଟିସିଏଲ୍ ଓ ଅନ୍ୟ ଡିଷ୍ଟ୍ରିବ୍ୟୁସନ୍ ସଂସ୍ଥା ପ୍ରସ୍ତୁତ ଅଛନ୍ତି । ମନିଟରିଂ ମେକାନିଜମ ଆରମ୍ଭ ହୋଇଛି । ପର୍ଯ୍ୟାପ୍ତ ପରିମାଣର ଉପକରଣ ଅଛି । କର୍ମଚାରୀଙ୍କୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ।
ଗତ ବାତ୍ୟା ସମୟରେ ୯୯.୫ ପ୍ରତିଶତ ଉପଭୋକ୍ତାଙ୍କୁ ୫ ଦିନ ମଧ୍ୟରେ ବିଜୁଳୀ ସଂଯୋଗ ଦିଆଯାଇଥିଲା । ଚଳିତ ଥର ଯଦି ସେପରି ସ୍ଥିତି ଆସେ ଆହୁରି ଶୀଘ୍ର ସଂଯୋଗ ଦେବାକୁ ବ୍ୟବସ୍ଥା ହୋଇଛି । ହସ୍ପିଟାଲ, ପାନୀୟ ଜଳ ୟୁନିଟକୁ କିପରି ଶକ୍ତି ସଂଯୋଗ ନକଟିବ ସେନେଇ ବ୍ୟବସ୍ଥା ହୋଇଛି । ସମସ୍ୟା ଉପୁଜିଲେ ପ୍ରାଥମିକତା ଭିତ୍ତିରେ କିପରି ସଂଯୋଗ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।