ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଶର୍ମିଷ୍ଠାଙ୍କୁ ଗିରଫ କରାଯାଇଛି । ଭଦ୍ରକର ନାଳଙ୍ଗ ଅଞ୍ଚଳରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଛି ।
ଉଭୟ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ । ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯିବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି । ପୂର୍ବରୁ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ଆଶ୍ରମର କେୟାରଟେକରଙ୍କୁ ମଧ୍ୟ ଅଟକ ରଖିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କୁ ପଚରାଉଚରା ପରେ ପୂରା ଘଟଣା ଉପରୁ ପରଦା ହଟିବ ।
ଶର୍ମିଷ୍ଠାଙ୍କ ଗିରଫ ପୂର୍ବରୁ ଆଜି ବିଧାନସଭାର ଶୂନ୍ୟକାଳରେ ଉଠିଥିଲା ମାନସ ସ୍ୱାଇଁ ହତ୍ୟା ମାମଲା । ଏହି ମାମଲାକୁ ନେଇ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କାଠଗଡ଼ାକୁ ଟାଣିଥିଲା କଂଗ୍ରେସ । ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇଛନ୍ତି ମାନସଙ୍କ ମାଆ । ତାଙ୍କ ଇଙ୍ଗିତରେ ହତ୍ୟା କରାଯାଇଥିବା ମାନସଙ୍କ ମାଆ ଅଭିଯୋଗ କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ସହ ଏହି ମାମଲାର ସାମଞ୍ଜସ୍ୟ ରହିଛି ।
ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଉଭୟ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ଆସିଛି । ହେଲେ ତଦନ୍ତରେ ମନ୍ତ୍ରୀଙ୍କ ନାଁ ରହିନାହିଁ । ତେଣୁ ଏହି ମାମଲାରେ ସିବିଆଇ ତଦନ୍ତ କରୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେହିପରି ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା ରାଉତଙ୍କୁ କାହିଁକି ଏଯାବତ ଗିରଫ କରାଯାଇନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏପରିକି ସେକ୍ସ ସ୍କାଣ୍ଡାଲ ପାଇଁ ମାନସଙ୍କୁ ହତ୍ୟା କରାଗଲା ବୋଲି ସେ ସାଂଘାତିକ ଅଭିଯୋଗ ଆଣିଥିଲେ । ତେଣଉ ଏହି ଘଟଣା ପଛରେ ଲୁଚିଥିବା ସତ ଧରିବାକୁ ସିବିଆଇକୁ ତଦନ୍ତ ଭାରତ ଦିଆଯାଉ ବୋଲି କଂଗ୍ରେସ ବିଧାୟକ ଦାବି କରିଥିଲେ ।