ବଦଳିବ ସ୍କୁଲ ସମୟ

ଏପ୍ରିଲ ବଦଳରେ ମେ’ ମାସଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଗ୍ରୀଷ୍ମ ଛୁଟି ମଧ୍ୟ ହ୍ରାସ କରାଯିବ । ପ୍ରତିବର୍ଷ ମେ’ ୬ରୁ ଜୁନ୍‌ ୧୭ ପର୍ଯ୍ୟନ୍ତ ସ୍କୁଲଗୁଡିକରେ ଗ୍ରୀଷ୍ମ ଛୁଟି ହେଉଥିଲା ।

ମାତ୍ର ଲଗାତାର ଦୁଇବର୍ଷ ହେଲା କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିସହ ସରକାରୀ ସ୍କୁଲଗୁଡିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୌପଚାରିକ ଭାବେ କୁହାଯାଇଛି । ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ବୁଝାଯାଇଛି ।

ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂତନ ଶିକ୍ଷାବର୍ଷ ସମେତ ନାମଲେଖା, ଗ୍ରୀଷ୍ମ ଛୁଟି, ଦଶମ ଓ ଯୁକ୍ତ୨ ପରୀକ୍ଷା ଆଦି ବିଷୟରେ ବିଶଦ ଆଲୋଚନା ହୋଇଥିଲା । ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି କିଛି ବଡ ଧରଣର ନିଷ୍ପତ୍ତି ହୋଇଛି ।

ଗ୍ରୀଷ୍ମ ଛୁଟି କମିବା ସହ ସ୍କୁଲ ସମୟରେ ମଧ୍ୟ କିଛିଟା ପରିବର୍ତ୍ତନ କରିବାକୁ ସ୍ଥିର ହୋଇଛି । ମେ’ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ସ୍କୁଲ ସମୟ ହ୍ରାସ କରାଯିବା ନେଇ ବିଭାଗର କିଛି ଅଧିକାରୀ ପ୍ରସ୍ତବ ଦେଇଥିଲେ । ତାହା ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଏହାବ୍ୟତୀତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରମୋସନ୍‌, ଟିଜିଟି, ପିଜିଟି ପରୀକ୍ଷାଫଳ ପ୍ରକାଶ ବିଷୟରେ ମଧ୍ୟ ଉକ୍ତ ବୈଠକରେ ବିଚାରବିମର୍ଶ ହୋଇଛି । ମୋଟ୍‌ ଉପରେ ୧୨ଟି ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ପ୍ରସ୍ତାବଗୁଡିକର ସୁପାରିସ୍‌ ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ପଠାଯାଇଛି । ସେଠାରୁ ଅନୁମତି ମିଳିଲେ, ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଦୁଇବର୍ଷ ଧରି ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଛି । ପରୀକ୍ଷା ସମୟରେ ସେମାନଙ୍କ ଦୁର୍ବଳତା ପଦାକୁ ଆସିଛି । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ଶ୍ରେଣୀର ପାଠକୁ ବୁଝି ପାରୁନାହାନ୍ତି । ସେମାନଙ୍କୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ବିଭାଗ ଗୁରୁତ୍ୱାରୋପ କରିଛି । ତେଣୁ ଗ୍ରୀଷ୍ମ ଛୁଟି ସମୟକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି । ଦେଢ ମାସ ବଦଳରେ ଗ୍ରୀଷ୍ମ ଛୁଟିକୁ ୧୬ ଦିନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।