ବଢୁଥିବା ସଂକ୍ରମଣ ପାଇଁ ସତର୍କ ରହିବାକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଦେଶରେ କରୋନା ବିପଦ ଟଳିନି। ବିଗତ ଦୁଇ ବର୍ଷ ହେଲା ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ, ପୁଣି ବୃଦ୍ଧି ପାଇବାରେ ଲାଗିଛି । ପୂର୍ବପରି ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା ବି ବଢିଲାଣି । ଫଳରେ ଆଲର୍ଟକୁ ଆସିଲେଣି ସରକାର । ବଢୁଥିବା କରୋନା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ।

ବଢୁଥିବା ସଂକ୍ରମଣ ପାଇଁ ସତର୍କ ରହିବା ସହ ଜନସାଧାରଣ ଏହି ରୋଗ ଲାଗି ସମସ୍ତ ସତର୍କତା ମାନିବା ଉଚିତ ବୋଲି ଆଜି କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ‘ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌’ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ କରୋନା ଉପରେ ଆମ ଦେଶରେ ସ୍ଥିତି ନିୟନ୍ତ୍ରଣା ଧୀନ ରହିଛି । କିନ୍ତୁ କରୋନା ମହାମାରୀ ଆମ ପାଇଁ ଚ୍ୟାଲେଞ୍ଜ । ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନି । ଓମିକ୍ରନ୍ ଏବଂ ଏହାର ସମସ୍ତ ପ୍ରକାରଗୁଡିକ ଏକ ପ୍ରକାର ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରିବ । ଆମେ ୟୁରୋପର ଦେଶଗୁଡିକର ସ୍ଥିତି ଦେଖିଲେ ଜାଣିପାରିବା ଯେ, ସେଠାରେ କେମିତ ରହିଛି ପରିସ୍ଥିତି ।

ଗତ କିଛି ମାସ ମଧ୍ୟରେ ଏହି ପ୍ରକାରଗୁଡିକରୁ ମାମଲା ବୃଦ୍ଧି ପାଇଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ ।ଦୁଇବର୍ଷ ମଧ୍ୟରେ କରୋନାରେ ଯେଉଁ ଳହର ଆସିଛି ସେଥିରୁ ବହୁତ କିଛି ଶିଖିବାକୁ ପଡିଛି । ବର୍ତ୍ତମାନ କରୋନା ମାମଲା ବଢୁଥିବାରୁ ଟିକାକରଣକୁ ପ୍ରାଥମିକତା ଦିଆଯାଉଛି । ବର୍ତ୍ତମାନ ଛୋଟ ପିଲାଙ୍କୁ ବି ଟିକା ଦିଆଯାଉଛି । ଏ ନେଇ ସମସ୍ତ ସ୍କୁଲରେ ଅଭିଯାନ ଆରମ୍ଭ ହେବା ଦରକାର । ଶିକ୍ଷକ ଓ ଅଭିଭାବକଙ୍କୁ ମଧ୍ୟ ଏ ନେଇ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।