ପ୍ରଧାନମନ୍ତ୍ରୀଙ୍କ “ରିଫର୍ମ, ପର୍ଫମ ଓ ଟ୍ରାନ୍ସଫର୍ମ”ମନ୍ତ୍ର ଦେଶର ନାଗରିକଙ୍କୁ ସଶକ୍ତ କରିଛି – ଧର୍ମେନ୍ଦ୍ର ପ୍ରଧାନ
କଟକ ସ୍ଥିତ ଆଇଟିଏଟିର ନୂତନ କାର୍ଯ୍ୟାଳୟ ଏବଂ ଆବାସିକ ପରିସର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ “ରିଫର୍ମ, ପର୍ଫମ, ଓ ଟ୍ରାନ୍ସଫର୍ମ” ମନ୍ତ୍ର ଦେଶର ସମସ୍ତ ନାଗରିକଙ୍କୁ ସଶକ୍ତ କରିବା ସହ ଭାରତର ଅର୍ଥନୀତିରେ ଦେଶବାସୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭରେ ଯୋଡ଼ିବା ଦିଗରେ ଭାରତ ସରକାରଙ୍କ ଉଦ୍ୟମକୁ ମାର୍ଗଦର୍ଶନ ଦେଉଅଛି ବୋଲି ବୁଧବାର ଭିଡ଼ିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କଟକ ସ୍ଥିତ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ(ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ଏବଂ ଆବାସିକ ପରିସର ଉଦଘାଟନ ହେବା
ଅବସରରେ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
– ଆଇଟିଏଟିର ନୂତନ କାର୍ଯ୍ୟାଳୟ ଲକ୍ଷାଧିକ ଲୋକଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇବ
– ଭାରତ ‘ଟିକସ ଆତଙ୍କବାଦ’ରୁ ‘ଟିକସ ସ୍ୱଚ୍ଛତା’ ଆଡ଼କୁ ଅଗ୍ରସର ହୋଇଛି
– ପ୍ରଧାନମନ୍ତ୍ରୀଙ୍କ ପାର୍ବଣ ସମୟରେ ସ୍ଥାନୀୟ ବ୍ୟବସାୟୀଙ୍କୁ ସହଯୋଗ କରିବା ଆହ୍ୱାନକୁ ପାଳନ କରିବାକୁ ନିବେଦନ
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବାନୁଯାୟୀ ଆଇଟିଏଟିର ଏହି ନୂତନ କାର୍ଯ୍ୟାଳୟ ଓଡ଼ିଶା ସମେତ ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବ ଭାରତରେ ଲକ୍ଷାଧିକ ଲୋକଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ‘ଟିକସ ଆତଙ୍କବାଦ’ରୁ ‘ଟିକସ ସ୍ୱଚ୍ଛତା’ ଆଡ଼କୁ ଅଗ୍ରସର ହୋଇଛି । ମୋଦି ସରକାର ସଚ୍ଚୋଟ କରଦାତାମାନଙ୍କ ସମସ୍ୟାର ସମାଧାନ କରିଛନ୍ତି ବୋଲି ସେ କହିଛନ୍ତି । ଓଡିଶା ହେଉଛି କଳା, ସଂସ୍କୃତି ଏବଂ ଐତିହ୍ୟର ରାଜ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ର ଏହି ପାର୍ବଣ ସମୟରେ ଓଡିଶା ତଥା ଦେଶବାସୀଙ୍କୁ ସତର୍କ ରହିବା ସହ ଅଧିକ ଭୋକାଲ ଫର୍ ଲୋକାଲ୍ ହେବା ଏବଂ ସ୍ଥାନୀୟ କଳାକାର, ବୁଣାକାର, ବେପାରୀ ଏବଂ ବ୍ୟବସାୟୀଙ୍କୁ ଯଥାସମ୍ଭବ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ପାଳନ କରିବା ସହ ଆତ୍ମନିର୍ଭର ଭାରତରେ ଯୋଗଦାନ କରିବା ପାଇଁ ଓଡିଶାବାସୀଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।