ମୁମ୍ୱାଇରେ ଆୟୋଜିତ ପ୍ରଥମ ଲତା ଦୀନାନାଥ ମଙ୍ଗେସକର ପୁରସ୍କାରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଦୀନାନାଥ ମଙ୍ଗେସକର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଙ୍ଗୀତ ପରି ଗଭୀର ବିଷୟ ବାବଦରେ ମୋର ଅଧିକ ଜ୍ଞାନ ନାହିଁ, କିନ୍ତୁ ସାଂସ୍କୃତିକ ବୋଧରୁ ମୁଁ ଅନୁଭବ କରେ ସଙ୍ଗୀତ ଏକ ସାଧନା, ଏବଂ ଭାବନା ।
ଯାହା ଭାବନାକୁ ବ୍ୟକ୍ତ କରିଥାଏ- ତାହା ଶବ୍ଦ । ଯାହା ଭାବନାରେ ଉର୍ଜା, ଚେତନାର ସଂଚାର କରିଥାଏ ତାହା-ନାଦ । ଏବଂ ଯାହା ଚେତନାରେ ଭାବନା ଭର୍ତ୍ତି କରେ, ତାକୁ ସୃଷ୍ଟି ଏବଂ ସମ୍ୱେଦନାର ପରାକାଷ୍ଠା ଯାଏଁ ପହଞ୍ଚାଏ ସେ ହେଉଛି ସଙ୍ଗୀତ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଙ୍ଗୀତ ମାତୃତ୍ୱ ଏବଂ ମମତାର ଅନୁଭୂତି କରାଇପାରେ। ସଙ୍ଗୀତ ଆପଣଙ୍କୁ ରାଷ୍ଟ୍ରଭକ୍ତି ଏବଂ କର୍ତ୍ତବ୍ୟର ଭାବନାକୁ ଶିଖରରେ ପହଞ୍ଚାଇଥାଏ। ଆମେ ସମସ୍ତ ସୌଭାଗ୍ୟଶାଳୀ ସଙ୍ଗୀତର ଏହି ସାମର୍ଥ୍ୟ, ଏହି ଶକ୍ତିକୁ ଲତା ଦିଦିଙ୍କ ରୂପେ ସାକ୍ଷାତ ଦର୍ଶନ କରିଛୁ । ପିଏମ କହିଛନ୍ତି, ମୋ ପାଇଁ ଲତା ଦିଦି ସୁର ସାମ୍ରାଜ୍ଞୀ ସହ ମୋର ବଡ଼ ଭଉଣୀ ଥିଲେ। ବଡ଼ ଭଉଣୀ ଲତା ଦିଦିଙ୍କ ନାଁରେ ଥିବା ପୁରସ୍କାର ପାଇବା ମୋ ପାଇଁ ତାଙ୍କ ଭଲ ପାଇବାର ଏକ ପ୍ରତୀକ । ଏହି ପୁରସ୍କାର ସାରା ଦେଶବାସୀଙ୍କ ପାଇଁ ସମର୍ପିତ କରୁଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଲତା ଜୀ ଏକ ଭାରତ, ଶ୍ରେଷ୍ଠ ଭାରତର ମଧୂର ପ୍ରସ୍ତୁତି। ସେ ଦେଶର ୩୦ରୁ ଅଧିକ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି। ହିନ୍ଦୀ ହେଉ ଅବା ମରାଠୀ ଅବା ଅନ୍ୟ ଭାଷା, ସବୁଥିରେ ଲଲା ଜୀଙ୍କ ସ୍ୱର ସମାନ। ସଂସ୍କୃତିରୁ ଆରମ୍ଭ କରି ଆସ୍ଥା, ପୂର୍ବରୁ ପଶ୍ଚିମ ଯାଏଁ, ଉତ୍ତରରୁ ଦକ୍ଷିଣ ଯାଏଁ, ଲତା ଜୀଙ୍କ ସ୍ୱର ସାରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାର କାମ କରିଛି। ସାରା ଦୁନିଆରେ ସେ ଭାରତୀୟ ସଂସ୍କୃତିର ରାଜଦୂତ ଥିଲେ।