ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ଆୟ ବହୁର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ସିଗ୍ନାଲ ବିଭାଗର ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ନିର୍ଦ୍ଧାରିତ ସମୟରେ ତଦନ୍ତକାରୀ ସଂସ୍ଥା ଚାର୍ଜସିଟ ଦାଖଲ କରି ନଥିବାରୁ ଶ୍ରୀ ମିଶ୍ରଙ୍କୁ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ।

ନିର୍ଦ୍ଧାରିତ ୬୦ ଦିନ ଭିତରେ ତଦନ୍ତକାରୀ ସଂସ୍ଥା ଚାର୍ଜସିଟ ଦାଖଲ କରି ନଥିବାରୁ ସିଆରପିସିର ଧାରା ୧୬୭(୨)ରେ ଜାମିନ ମଞ୍ଜୁର କରାଯାଉ ବୋଲି ଦର୍ଶାଇ ଶ୍ରୀ ମିଶ୍ରଙ୍କ ତରଫରୁ ଅଦାଲତରେ ଆବେଦନ କରାଯାଇଥିଲା ।

ଅଦାଲତ ଆବେଦନର ଶୁଣାଣି କରି ଶ୍ରୀ ମିଶ୍ରଙ୍କୁ ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ୯ କୋଟି ୫ ଲକ୍ଷ ୨୯ ହଜାର ୭୩ ଟଙ୍କାର ଆୟ ବହୁର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ରହିଛି ଶ୍ରୀ ମିଶ୍ରଙ୍କ ବିରୋଧରେ । ତାଙ୍କୁ ଭିଜିଲାନ୍ସ ଫେବ୍ରୁଆରି ୧୬ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ପାଇଁ ଶ୍ରୀ ମିଶ୍ର ପୂର୍ବରୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ କରିଥିବା ଆବେଦନ ଫେବ୍ରୁଆରି ୨୪ରେ ଖାରଜ ହୋଇଥିଲା ।

ଏହାପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହି ଆବେଦନ ବିଚାରାଧୀନ ରହିଥିବା ବେଳେ ନିର୍ଦ୍ଧାରିତ ସମୟ ଭିତରେ ଚାର୍ଜସିଟ ଦାଖଲ ହୋଇ ନଥିବାରୁ ଶ୍ରୀ ମିଶ୍ରଙ୍କ ତରଫରୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ସାନି ଆବେଦନ ଦାୟର କରାଯାଇଥିଲା । ଶ୍ରୀ ମିଶ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମାମଲା ପରିଚାଳନା କରୁଥିବା ବେଳେ ସଂଗ୍ରାମ କୁମାର ଦାସ ଓ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ସହାୟତା କରୁଥିଲେ ।