ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପ୍ରଦର୍ଶନ ପରେ ସମୀକ୍ଷା ବୈଠକ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜବାଦୀ ପାର୍ଟି ପ୍ରମୁଖ ମାୟାବତୀ । ନିର୍ବାଚନରେ ଅମାନତ ହରାଇଥିବା ବିଏସ୍ପି ସମୀକ୍ଷା କରିବା ସହିତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଦଳର ସୁପ୍ରିମୋ ମାୟାବତୀ ।
ଗୋଟିଏ ପଟେ ରାଜ୍ୟ ଏବଂ ଜିଲ୍ଲା ସଭାପତିଙ୍କୁ ଛାଡି ଅନ୍ୟ ସମସ୍ତ କମିଟିକୁ ଭାଙ୍ଗିଛନ୍ତି । ଅନ୍ୟପଟେ ରାଜ୍ୟରେ ୩ଜଣିଆ ସଂଯୋଜକଙ୍କୁ ନିଯୁକ୍ତି ଦେଇଛନ୍ତି । ସବୁଠାରୁ ବଡ କଥା ହେଉଛି ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ କରିଛନ୍ତି । ତେବେ ଚର୍ଚ୍ଚା ହେଉଛି ମାୟାବତୀଙ୍କ ପରେ ଆକାଶ ଆନନ୍ଦ ହେବେ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ । ପୁତୁରାଙ୍କୁ ସକ୍ରିୟ ରାଜନୀତିକୁ ଆଣି ଉତ୍ତର ପ୍ରଦେଶରେ ନୂଆ ସମୀକରଣ ତିଆରି କରିବା ଲକ୍ଷ୍ୟରେ ରହିଛନ୍ତି ମାୟାବତୀ ।
ୟୁପିରେ ବହୁଜନ ସମାଜାବାଦୀ ପାର୍ଟିର ଜିଲ୍ଲା ଏବଂ ରାଜ୍ୟ ଅଧ୍ୟକ୍ଷ ପଦବୀ ଛାଡି ଅନ୍ୟ ଜିଲ୍ଲା ସ୍ତରୀୟ ସମସ୍ତ କାର୍ଯ୍ୟକାରିଣୀ ଭାଙ୍ଗିଛନ୍ତି । ତା ସହିତ ୩ଜଣ ନୂଆ ସଂଯୋଜକଙ୍କୁ ନିଯୁକ୍ତ କରିଛନ୍ତି ସେମାନେ ହେଉଛନ୍ତି ମେରଠରୁ ମୁନକାଦ ଅଲୀ, ବୁଲନ୍ଦସହରରୁ ରାଜକୁମାର ଗୌତମ ଏବଂ ଆଜମଗଡରୁ ବିଜୟ କୁମାର । ଅନ୍ୟପଟେ ପୁୁତୁରା ଆକାଶ ଆନନ୍ଦଙ୍କୁ ସକ୍ରିୟ ରାଜନୀତିକୁ ଆଣି ମାଷ୍ଟର ପ୍ଲାନ କରିବାକୁ ଯାଉଛନ୍ତି ମାୟାବତୀ ।
ସୂଚନାଥାଉକି, ୨୦୦୭ ବିଧାନସଭା ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟି ୨୦୬ ସିଟ୍ ଜିତି ସରକାର ଗଢିଥିଲା । ଯେତେବେଳେକି ସମାଜବାଦୀ ପାର୍ଟି ୮୦ସିଟ୍, ବିଜେପି ୧୭ ଏବଂ କଂଗ୍ରେସ ୨୨ଟି ସିଟ୍ ହାତେଇଥିଲେ । ମୁଖ୍ୟମନ୍ତ୍ରୀ ହୋଇଥିଲେ ମାୟାବତୀ । ପରେ ୨୦୧୨ ମସିହାରେ ୮୦ ସିଟ୍, ୨୦୧୭ରେ ମାତ୍ର ୧୯ସିଟ୍ ଜିତିବାରେ ସକ୍ଷମ ହୋଇଥିଲା ବିଏସପି । ଆଉ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଦଳ ଅମାନତ ହରାଇଛି । ମାତ୍ର ଗୋଟିଏ ସିଟ୍ ଜିତିବାକୁ ସକ୍ଷମ ହୋଇଛି ବହୁଜନ ସମାଜବାଦୀ ପାର୍ଟି ।