ପୁଣି ଦାନା ବାନ୍ଧିଲାଣି ବାତ୍ୟା

ମାଡ଼ି ଆସୁଛି ବାତ୍ୟା । ଆକଳନ ଯଦି ଠିକ୍ ରହେ, ତେବେ ଆସନ୍ତା ୧୦ ବେଳକୁ ଆସିପାରେ ବଡ଼ ଧରଣର ବାତ୍ୟା । ପ୍ରତିଥର ପ୍ରାକୃତିକ ଦୁର୍ବିପାକ ଭୋଗୁଥିବା ଉପକୂଳ ରାଜ୍ୟ ଓଡ଼ିଶା ଏବେ ଲଗାତାର ବାତ୍ୟା ଆକଳନ ଶୁଣି ରାଜ୍ୟ ବାସୀ ଚିନ୍ତିତ ହୋଇପଡ଼ିଲେଣି । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା ମଡେଲ ।

ଅଧିକାଂଶ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ସିଭିୟର ଷ୍ଟର୍ମର ରୂପ ନେଇପାରେ ବୋଲି କୁହାଯାଉଛି । ଆସନ୍ତା ୧୦/୧୧ ବେଳକୁ ଏହା ଉତ୍ତର ଆନ୍ଧ୍ର ଉପକୂଳ କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହେବାର ସମ୍ଭାବନା ଅଧିକ ଥିବା କୁହାଯାଉଛି । ତେବେ ସେ ଯାହାବି ହେଉନା କାହିଁ ବାତ୍ୟାକୁ ଏଡ଼ାଇ ହେବ ନାହିଁ ବୋଲି ଅଭିଜ୍ଞ ପାଣିପାଗ ବିଶେଷଜ୍ଞ ତଥା ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟ କେତେକ ପାଣିପାଗ ସଂସ୍ଥାଙ୍କ କହିବା କଥା ଏହା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗର ସୁନ୍ଦରବନ ଛୁଇଁପାରେ କିମ୍ବା ଦିଗ ବଦଳାଇ ବାଂଲାଦେଶ ଆଡ଼କୁ ବି ଯାଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି, ଆସନ୍ତା ୪ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ୫ ତାରିଖରେ ଏହା ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଲଘୁଚାପ ଓ ବାତ୍ୟା ସୃଷ୍ଟି ନେଇ ବିଭିନ୍ନ ପାଣିପାଗ ସଂସ୍ଥାମାନେ ଗତ ୩ ଦିନ ହେବ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ମାତ୍ର ଆଜି ଅପରାହ୍ନରେ ଜିଏଫଏସ୍ ଓ ଇସିଏମଡବ୍ଲ୍ୟଏଫ୍ ମଡେଲ୍ ଆକଳନରେ ଅନେକ ସମାନତା ଦେଖିବାକୁ ମିଳିଛି । ମେ’ ୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ରେ ଦକ୍ଷିଣ-ପୂର୍ବ ବଙ୍ଗେପେସାଗରରେ ଆଣ୍ଡାମାନର ଦକ୍ଷିଣରେ ଲଘୁଚାପ ସୃଷ୍ଟି ହେବ । ଉଭୟ ସମୁଦ୍ର ଓ ବାୟୁମଣ୍ଡଳର ପରିସ୍ଥିତି ଏହାକୁ ଶୀଘ୍ର ଘନୀଭୂତ କରିବା ପାଇଁ ସହାୟକ ହେବ । ଫଳତଃ ମେ’ ୬ରେ ଅବପାତ, ୭ରେ ବାତ୍ୟା ଓ ୮ରେ ଭୀଷଣ ବାତ୍ୟା ରୂପ ନେଇପାରେ । ବର୍ତ୍ତମାନ ମଡେଲ କହୁଛି, ମେ’ ୬ରେ ଗତିପଥ ଉତ୍ତର-ପଶ୍ଚିମ ବା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଆଡ଼କୁ ମୁହାଁଇବ । ଯଦି ଏହା ହୁଏ, ତେବେ ୮ ତାରିଖରୁ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଘଟି ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ୧୦ ତାରିଖରେ ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଅଧିକ ରହିଥିବା ବେଳେ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ ।

ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ବର୍ତ୍ତମାନ ପାଣିପାଗ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି । ସମୁଦ୍ର ପୃଷ୍ଠ ତାପମାତ୍ରା ୩୧-୩୨ ଡିଗ୍ରୀ ରହୁଛି । ସମୁଦ୍ର ଜଳପତ୍ତନର ତାପମାତ୍ରା ୨୬ ଡିଗ୍ରୀରୁ ଅଧିକ ହେଲେ ବାତ୍ୟା ସୃଷ୍ଟି ହେବାକୁ ପାଗ ଅନୁକୂଳ ହୋଇଥାଏ । ସେହିପରି ସମୁଦ୍ର ଭିତରେ ତାପଜ ଶକ୍ତି ବି ଅନୁକୂଳ ସ୍ଥିତି ସୃଷ୍ଟି କରୁଛି । ତେଣୁ ବାତ୍ୟା ହେବା ସମ୍ଭାବନା ରହିଛି । ପ୍ରାକ ଆକଳନ ଅନୁସାରେ ଆସନ୍ତା ୧୦ ତାରିଖରେ ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗର ସୁନ୍ଦରବନ ଛୁଇଁପାରେ । ଏହାର ପ୍ରଭାବରେ ୧୦୦ କିମି ପର‌୍ୟ୍ୟନ୍ତ ପବନ ବହିବାର ମଧ୍ୟ ଆଶଙ୍କା ରହିଛି । ଓଡ଼ିଶାରେ ୮ରୁ ପାଗ ବଦଳିବା ସହ ୯ରୁ ବର୍ଷା ହୋଇପାରେ । ତେବେ ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ଏବେ ସ୍ପଷ୍ଟ ଆକଳନ କରିବା ସହଜ ନୁହେଁ ।