ଚାଇନାରେ ପୁଣି ଥରେ କରୋନା ମହାମାରୀ ବିସ୍ତାର ହେଉଛି । ଏଥି ପାଇଁ ଦକ୍ଷିଣ ଚାଇନା ଟେକ୍ ହବ୍ ଶେନ୍ଜେନ୍ରେ ସରକାର କଡ଼ା ଲକ୍ଡାଉନ୍ ଲାଗୁ କରିଛନ୍ତି । ଏହି ଲକ୍ଡାଉନ୍ ପରେ ଏହି ସହରର ପ୍ରାୟ ୧,୭୦,୦୦,୦୦୦ ଲୋକ ବର୍ତ୍ତମାନ ନିଜ ରେ ବନ୍ଦ ହୋଇ ରହିଛନ୍ତି ।
ଖବର ମୁତାବକ ଗୋଟିଏ ଦିନରେ ଚାଇନାରେ ପ୍ରାୟ ୩ ହଜାର ୪୦୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଏହି ନିଷ୍ପତି ନେଇଛନ୍ତି ।
ଲାଗୁ ହୋଇଥିବା କଟକଣା ଅନୁଯାୟୀ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଜନ ପରିବହନକୁ ବନ୍ଦ କରିବା ଏବଂ ସ୍ଥଗିତ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ସହରରେ ସମସ୍ତଙ୍କର ତିନି ରାଉଣ୍ଡ ଲେଖାଏଁ କରୋନା ପରୀକ୍ଷଣ କରାଯିବ । ଆଜି ଶେନ୍ଜେନ୍ ସହରରେ ପ୍ରାୟ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଶେନଜେନ୍ ସ୍ୱାସ୍ଥ୍ୟ ଅଧିକାରୀ ଲିନ ହାନଚେଙ୍ଗ ଏକ ସଂକ୍ଷିପ୍ତ ବିବରଣି ଦେଇ କହିଛନ୍ତି ଯେ ଯଦି ପ୍ରତିରୋଧ ଏବଂ ନିୟନ୍ତ୍ରଣ ଠିକ୍ ସମୟରେ ଏବଂ ନିର୍ଣ୍ଣାୟକ ଢଙ୍ଗରେ ଦୃଢ ହୁଏ ନାହିଁ, ତେବେ ଏହା ସହଜରେ ଗୋଷ୍ଠି ସଂକ୍ରମଣର ରୂପ ନେଇପାରେ । ସେହିପରି ଦେଶରେ ବଢୁଥିବା ଓମିକ୍ରନ୍ ଏବଂ ଡେଲଟା ଭାରିଆଣ୍ଟର ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂଘାଇରେ ଏବଂ ଉତ୍ତର-ପୂର୍ବର ଏକାଧିକ ସହରରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ।