ପୁଣି ଏକ ନୂଆ ରେକର୍ଡ କଲା ଓଡିଶା; ଜିଏସଟି ସଂଗ୍ରହରେ ଅନ୍ୟ ରାଜ୍ୟକୁ ପଛରେ ପକାଇଲା

ରାଜ୍ୟରେ ମୋଟ ଜିଏସଟି ସଂଗ୍ରହ ଗତ ମାର୍ଚ୍ଚ ମାସରେ ରେକର୍ଡ ସ୍ତରରେ ପହଞ୍ଚିଛି। ଓଡ଼ିଶା ଏକ୍ଷେତ୍ରରେ ୨୬ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହାସଲ କରିଥିବାର ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚରେ ମୋଟ୩୨୮୫.୨୯କୋଟି ଟଙ୍କା ଆଦାୟ ହୋଇଥିଲା ବେଳେ ୨୦୨୨ମାର୍ଚ୍ଚରେ କିନ୍ତୁ ଏହା ୪୧୨୪.୬୬କୋଟି ଛୁଇଁଛି। ଯାହା ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ଠାରୁ ଅଧିକ ବୋଲି ଜଣାପଡ଼ିଛି।

ରାଜ୍ୟ ଜିଏସଟି ଗତବର୍ଷ ମାର୍ଚ୍ଚରେ ୯୫୪.୬୨କୋଟି ଥିଲା ବେଳେ ଚଳିତ ମାର୍ଚ୍ଚରେ ଏହା ୧୩୫୧.୨୫କୋଟି ଟଙ୍କା ରହିଛି। ଯାହା ଜିଏସଟି ପ୍ରଚଳନ ଦିନଠାରୁ କୌଣସି ମାସରେ ହୋଇଥିବା ଓଜିଏସଟି ବା ରାଜ୍ୟ ଜିଏସଟି ଆଦାୟ କ୍ଷେତ୍ରରେ ସର୍ବାଧିକ ବୋଲି ଜଣାପଡ଼ିଛି। ଓଜିଏସଟି ଆଦାୟ ଗତ ବର୍ଷ ମାର୍ଚ୍ଚ ମାସ ତୁଳନାରେ ୪୨ପ୍ରତିଶତ ବୃଦ୍ଧି ଘଟିଛି।

ସେହିପରି ସମନ୍ୱିତ ଜିଏସଟି ୧୦୦୩.୪୭କୋଟି, କେନ୍ଦ୍ର ଜିଏସଟି ୧୧୦୯.୮୫କୋଟି ଓ ସେସ ୬୬୦.୦୯ କୋଟି ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଦାୟ କରାଯାଇପାରିଥିବା ରାଜ୍ୟ ଦ୍ରବ୍ୟ ସେବା ଓ ବାଣିଜ୍ୟକର ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୪୪୩୩୪.୬୭କୋଟି ଆଦାୟ ହୋଇଥିବା ବେଳେ ଏହା ୨୦୨୦-୨୧ ବର୍ଷରେ ୨୯୮୫୨.୭୬ କୋଟି ଥିଲା। ଗତ ଆର୍ଥିକ ବର୍ଷ ତୁଳନାରେ ଏଥର ରାଜ୍ୟରେ ମୋଟ ଜିଏସଟି ଆଦାୟରେ ୪୯ପ୍ରତିଶତ ଅଭିବୃଦ୍ଧି ଘଟିଥିବା ଜଣାପଡ଼ିଛି। ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ଜିଏସଟି ବା ଓଜିଏସଟି ଆଦାୟ ୮୨୯୨.୧୫କୋଟି ଟଙ୍କା ଥିବା ବେଳେ ୨୦୨୧-୨୨ବର୍ଷରେ ୧୨୭୪୩.୦୧କୋଟି ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି। ପ୍ରାୟ ୫୪ପ୍ରତିଶତ ଅଭିବୃଦ୍ଧି ଏକ୍ଷେତ୍ରରେ ଦେଖିବାକୁ ମିଳିଛି। ଖଣି କ୍ଷେତ୍ରରେ ୮୧ପ୍ରତିଶତ ଓ ମାନୁଫାକଚରିଂ କ୍ଷେତ୍ରରେ ୮୪ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହିକି ଯେ ଅଣ ଜିଏସଟି ବା ପେଟ୍ରୋଲ ଓ ମଦରୁ ଆଦାୟ ହେଉଥିବା ଟିକସ ମଧ୍ୟ ଗତ ମାର୍ଚ୍ଚ ମାସରେ ୧୬୮୭.୭୨କୋଟି ରେକର୍ଡ ପରିମାଣରେ ଆଦାୟ ହୋଇଛି। ପେଟ୍ରୋଲିୟମ ସୂତ୍ରରୁ ୧୨୫୭.୪କୋଟି ଓ ମଦ ସୂତ୍ରରୁ ୪୩୦.୬୭ କୋଟି ମିଳିଥିଲା। ଗତ ବର୍ଷ ମାର୍ଚ୍ଚରେ ଏହା ୧୫୫୯.୨୧କୋଟି ଥିଲା। ଏଣୁ ଏକ୍ଷେତ୍ରରେ ବି ୮.୨୨ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧-୨୨ବର୍ଷରେ ମୋଟ ଭାଟ ୯୯୫୪.୯୧କୋଟି ଆଦାୟ ହୋଇଥିବା ବେଳେ ୨୦୨୦-୨୧ରେ ଏହା ୭୭୫୬.୭୪କୋଟି ଥିଲା।

ଗୋଟିଏପଟରେ ଆର୍ଥିକ ବର୍ଷ ୨୦୨୧-୨୨ରେ ନୂତନ ଭାବେ ୪୭୬୫୪ଟି ସଂସ୍ଥା ନୂତନ ପଞ୍ଜୀକରଣ କରି ଜିଏସଟି ପରିସରଭୂକ୍ତ ହୋଇଛନ୍ତି। ପ୍ରତି ସର୍କଲକୁ ଅତିକମରେ ୯୦ପ୍ରତିଶତ ରିଟର୍ଣ୍ଣ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ତେବେ ୧୦୮୧୧୭ଜଣଙ୍କୁ ରିଟର୍ଣ୍ଣ ଦାଖଲ କରିନଥିବାରୁ ନୋଟିସ ଜାରି କରାଯାଇଛି। ସେହିପରି ଚଳିତ ବର୍ଷ ୫୪୯୭ଜଣ ଅଭ୍ୟାସଗତ ଖିଲାପିଙ୍କ ଜିଏସଟି ପଞ୍ଜୀକରଣକୁ ରଦ୍ଦ କରାଯାଇଥିବାର କୁହାଯାଇଛି। ତେବେ ଏଥିଲାଗି ଗତ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରରେ ଟିକସ ଦାଖଲ ପ୍ରତିଶତ ବୃଦ୍ଧି ପାଇଥିବାର ଜଣାପଡ଼ିଛି। କ୍ରମାନ୍ୱୟରେ ଏହି ତିନି ମାସ ଲାଗି ୯୨.୦୬ପ୍ରତିଶତ, ୯୨.୨୯ପ୍ରତିଶତ ଓ ୯୨.୩୦ପ୍ରତିଶତ ରହିଥିବାର ଜଣାପଡ଼ିଛି। ଗତ ମାର୍ଚ୍ଚ ମାସରେ ରାଜ୍ୟରେ ୧୮ଲକ୍ଷ୫୮ହଜାର ଇ-ୱେବିଲ ନିର୍ଗମନ ହୋଇଛି। ଯାହା ଗତ ବର୍ଷ ମାର୍ଚ୍ଚରେ ୧୬ଲକ୍ଷ୨୧ହଜାର ଥିଲା। ସେହିପରି ୨୦୨୧-୨୨ବର୍ଷରେ ଜିଏସଟି ଫାଙ୍କି ଅଭିଯୋଗରେ ପ୍ରାୟ ୨୩୧ଟି ବ୍ୟବସାୟିକ ସଂସ୍ଥାରେ ଚଢଉ କରାଯାଇ ୩୫କୋଟି ୭୪ଲକ୍ଷ ଜରିମାନା ଆଦାୟ କରାଯାଇପାରିଥିବା ବିଭାଗ ପକ୍ଷରୁ କୁହାଯାଇଛି।