ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରରେ ଅଯୋଧ୍ୟା ମାମଲା

ନୂଆଦିଲ୍ଲୀ : ଜମିୟତ ଉଲେମା-ଏ-ହିନ୍ଦ ଅଯୋଧ୍ୟା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ବିରୋଧରେ ପୁନର୍ବିଚାର ଯାଚିକା ଦାଖଲ କରିଛି । ଏହି ଯାଚିକା ମୌଲାନା ସୈୟଦ ରସିଦିଙ୍କ ତରଫରୁ ଦାଖଲ କରାଯାଇଛି । ସୈୟଦ ରସିଦି ଅଯୋଧ୍ୟା ମାମଲାରେ ମୁସଲମାନ ପକ୍ଷର ୧୦ ଯାଚିକାକର୍ତ୍ତାଙ୍କ ମଧ୍ୟରୁ ଜଣେ । କୁହାଯାଉଛି ଯେ ସଂଧ୍ୟା ପାଞ୍ଚଟାରେ ଜମିୟତ ମୁଖ୍ୟ ମୌଲାନା ଅରଶଦ ମଦନୀ ସାମ୍ୱାଦିକ ସମ୍ମିଳନୀ କରିବେ ।

ଉଲ୍ଲେଖଯୋଗ୍ୟ ଯେ ଜମିୟତର କାର‌୍ୟ୍ୟକାରୀ କମିଟି ନଭେମ୍ୱର ୧୪ ତାରିଖରେ ପାଞ୍ଚ ଜଣିଆ ସଦସ୍ୟଙ୍କ ଏକ ଖଣ୍ଡପୀଠ ଗଠନ କରିଥିଲେ । ଯେଉଁଥିରେ ଆଇନ ବିଶାରଦ ଏବଂ ଧାର୍ମିକ ମାମଲାର ବିଦ୍ୱାନଙ୍କୁ ସାମିଲ କରାଯାଇଥିଲା । ଏହି କମିଟିର ଗଠନ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ନଭେମ୍ୱର ୯ ତାରିଖର ନିଷ୍ପତ୍ତିର ପ୍ରତିଟି କୋଣକୁ ଅନୁଧ୍ୟାନ କରିବା ପାଇଁ କରାଯାଇଥିଲା ।

ଜମିୟତ ମୁଖ୍ୟ ମୌଲାନା ଅରଶଦ ମଦନୀଙ୍କ ନେତୃତ୍ୱରେ ଏହି କମିଟି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଉଥିବା ପୁନର୍ବିଚାର ଯାଚିକାର ସମ୍ଭାବନାକୁ ପରଖିଥିଲା ଏବଂ ଏହି ମାମଲାରେ ସମୀକ୍ଷା ଯାଚିକା ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।

କେନ୍ଦ୍ର ଅଳ୍ପସଂଖ୍ୟକ କାର‌୍ୟ୍ୟ ମନ୍ତ୍ରୀ ମୁକ୍ତାର ଆବାସ ନକଭୀ ଅଯୋଧ୍ୟା ମାମଲାକୁ ନେଇ ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ ବୋର୍ଡ ଏବଂ ଜମିୟତ ଉଲେମା-ଏ-ହିନ୍ଦକୁ ଟାର୍ଗେଟ କରିଥିଲେ । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅଯୋଧ୍ୟା ମାମଲାରେ ପୁନର୍ବିଚାର ଯାଚିକାର କଥା କହୁଥିବା ଲୋକମାନେ ସମାଜକୁ ଭାଙ୍ଗିବାର ମାହୋଲ ସୃଷ୍ଟି କରୁଛନ୍ତି କିନ୍ତୁ ସମାଜ ଏହାକୁ ଗ୍ରହଣ କରିବନି । ସେ ଏହା ମଧ୍ୟ କହିଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ଅଯୋଧ୍ୟା ପ୍ରସଙ୍ଗ ଶେଷ ହୋଇଯାଇଛି । ଏବେ ଏହାକୁ ଆଉ ଜଟିଳ ନକରିବା ଦରକାର ।