ପାଟଣାଗଡ଼ ଡାକ୍ତରଖାନାରୁ ନବଜାତ ଶିଶୁଙ୍କ ଚୋରି ଘଟଣା: ବାପାଙ୍କୁ ପିଟି ଏଏସ୍‌ଆଇ ନିଲମ୍ବିତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରୁ ଚୋରି ହୋଇଯାଇଥିବା ନବଜାତ ଶିଶୁପୁତ୍ରର ବାପାଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ପୁଲିସ୍ ଏଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଅନାଦି ମଟାରି। ସେ ପାଟଣାଗଡ଼ ଥାନାରେ କାର‌୍ୟ୍ୟରତ ଥିଲେ। ଗତକାଲି ଏହି ପିଲା ଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ। ଏହି ସମୟରେ ଏଏସ୍ଆଇ ଅନାଦି ମଟାରି ଉକ୍ତ ନବଜାତ ଶିଶୁର ବାପାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଏସ୍‌ଆଇଙ୍କ ମାଡ଼ରେ ସେ ଚେତା ହରାଇଥିଲେ। ତେଣୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଏହା ପରେ ଏହି ପୁଲିସ୍ ଅଧିକାରୀଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପରିବାର ଲୋକେ ଅଡ଼ି ବସିଥିଲେ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ସହ ଚୋରି ହୋଇଥିବା ଶିଶୁକୁ ଖୁବଶୀଘ୍ର ଉଦ୍ଧାର କରିବା ନେଇ ପ୍ରତିଶ୍ରୁତି ଦିଆଯିବା ପରେ ସେମାନେ ରାସ୍ତାରୋକରୁ ହଟିଥିଲା। ତେଣୁ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ସ୍ୱରୁପ ଆଜି ବଲାଙ୍ଗିର ଏସ୍‌ପି ପାଟଣାଗଡ଼ ଏଏସ୍ଆଇ ଅନାଦି ମଟାରିଙ୍କୁ ନିଲମ୍ବନ କରିଛନ୍ତି।