ପାକିସ୍ତାନକୁ ବନ୍ଦ ହେଲା ସତ୍‌ଲେଜ୍‌, ରବି ଓ ବିସ୍‌ ନଦୀର ଜଳ

ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ଜରିଆରେ ୪୦ ସିଆର୍‌ପିଏଫ୍‌ ଯବାନଙ୍କୁ ଶହୀଦ୍‌ କରିବା ଘଟଣାରେ ପାକିସ୍ତାନକୁ ଦେବାକୁ ପଡ଼ିଛି ବହୁମୂଲ୍ୟ। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଭାରତରୁ ପାକିସ୍ତାନ ମଧ୍ୟକୁ ପ୍ରବାହିତ ହୋଇ ପାକିସ୍ତାନର ପାନୀୟ ଜଳ ସଙ୍କଟକୁ ଦୂର କରୁଥିବା ସତ୍‌ଲେଜ୍‌, ରବି ଓ ବିସ୍‌ ନଦୀର ଜଳକୁ ଆଜିଠାରୁ ପାକିସ୍ତାନ ମଧ୍ୟକୁ ପ୍ରବାହିତ ହେବା ବନ୍ଦ କରି ଦେଇଛି ଭାରତ। ଏହି ତିନିଟି ନଦୀ ଦ୍ୱାରା ପାକିସ୍ତାନ ମଧ୍ୟକୁ ୦.୫୩ ମିଲିୟନ ଏକର ଫିଟ୍‌ ଜଳକୁ ଆଜି ଠାରୁ ଭାରତ ସରକାର ବନ୍ଦ କରି ଦେଇଛନ୍ତି ବୋଲି ରାଜସ୍ଥାନର ବିକାନିର ଠାରେ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ୍‌ ମେଘଓ୍ଵାଲ। ତେବେ, ଭାରତ ସରକାରଙ୍କର ଏ ପ୍ରକାରର ନିଷ୍ପତ୍ତି ଭାରତ- ପାକ୍‌ ମଧ୍ୟରେ ହୋଇଥିବା ଇନ୍ଦସ୍‌ ଜଳ ଚୁକ୍ତିକୁ ମଧ୍ୟ ଉଲ୍ଲଂଘନ କରୁ ନଥିବା ସ୍ପଷ୍ଟ କରି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ୍‌ ମେଘଓ୍ଵାଲ। ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ କହିଛନ୍ତି ଯେ ପୂର୍ବରୁ ସତ୍‌ଲେଜ୍‌, ରବି ଓ ବିସ୍‌ ନଦୀ ଦେଇ ପାକିସ୍ତାନ ମଧ୍ୟକୁ ପ୍ରବାହିତ ୦.୫୩ ମିଲିୟନ ଏକର ଫିଟ୍‌ ଜଳକୁ ଆଜି ଠାରୁ ବନ୍ଦ କରି ଦିଆଯିବା ପରେ ଏହାକୁ ଏବେ ଦେଶ ମଧ୍ୟରେ ସଞ୍ଚିତ କରି ରଖାଯାଉଛି। ରାଜସ୍ଥାନ ଓ ପଞ୍ଜାବର ଆବଶ୍ୟକତା ସମୟରେ ଏହି ସଞ୍ଚିତ ଜଳକୁ ବ୍ୟବହାର କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ।