ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ ଜଣେ ହିନ୍ଦୁ ଓ ଜଣେ ମୁସଲମାନ ମହିଳା ଜଣେ ଅନ୍ୟ ଜଣଙ୍କର ସ୍ୱାମୀଙ୍କୁ କିଡ୍ନି ଦାନ ଦେଇଛନ୍ତି। ଛଅ ମାସ ତଳେ ଥାନେ ଓ ବିହାରରୁ ଦୁଇ ପରିବାରକୁ ସେମାନଙ୍କ ନେଫ୍ରଲୋଜିଷ୍ଟ୍ମାନେ ଆଣିଥିଲେ। ସେ ପର୍ଯ୍ୟନ୍ତ ଅପରିଚିତ ଥିବା ଦୁଇ ପରିବାର ଗତ ସପ୍ତାହରେ ହୋଇଥିବା ପ୍ରତିରୋପଣ ପାଇଁ ଥିବା ସମସ୍ତ ଆଇନଗତ ଅସୁବିଧାକୁ ଗୋଟିଏ ଟିମ୍ ଭାବେ କାମ କରି ଏଡ଼ାଇ ପାରିଥିଲେ।
ବିଶ୍ୱ ବୃକ୍କ ଦିବସ, ମାର୍ଚ ୧୪ ତାରିଖରେ ସୈଫି ହସ୍ପିଟାଲ୍ରେ ହୋଇଥିବା ଏହି ପ୍ରତିରୋପଣ ଅସ୍ତ୍ରୋପଚାର ଥାନେର ବାସିନ୍ଦା ୫୧ ବର୍ଷିୟ ନଦୀମ୍ ଏବଂ ୪୫ ବର୍ଷୀୟ ନଜରୀନ୍ ପଟେଲ୍ ବିହାରର ୫୩ ବର୍ଷିୟ ରାମସ୍ୱାର୍ଥ ଯାଦବ ଏବଂ ତାଙ୍କ ପତ୍ନୀ ୪୫ ବର୍ଷୀୟ ସତ୍ୟଦେବୀଙ୍କୁ ଆଜୀବନ ବନ୍ଧନରେ ବାନ୍ଧି ପକାଇଛି। ତିନୋଟି ପିଲାର ବାପା ନଦୀମ୍ ୪ ବର୍ଷ ହେବ ଡାଏଲିସିସ୍ରେ ଥିଲେ। ସ୍ୱାସ୍ଥ୍ୟ କ୍ରମେ ଅବନତି ଆଡ଼କୁ ଯିବାରୁ ପ୍ରତିରୋପଣ ତାଙ୍କ ଲାଗି ଜରୁରୀ ହୋଇ ପଡ଼ିଥିଲା। କିଡ୍ନି ରୋଗ ଯୋଗୁଁ ନଲସୋପରାକୁ ଘର ଭାବି ରହିଥିବା ରାମସ୍ୱାର୍ଥଙ୍କ ପାଇଁ ମଧ୍ୟ ପ୍ରତିରୋପଣ ଥିଲା ଅପରିହାର୍ଯ୍ୟ। ଉଭୟ ସେମାନଙ୍କ ପରିବାର ମଧ୍ୟରୁ କିଡ୍ନି ଦାତାଙ୍କୁ ଖୋଜିଲେ ମଧ୍ୟ କେହି ମିଳିଲେ ନାହିଁ। ଏତିକି ବେଳେ ନେଫ୍ରଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ହେମାଲ ଶାହା କିଡ୍ନି ବଦଳ କଥା ଉଠାଇଲେ। ସେ କହିଲେ କି, ରାମସ୍ୱାର୍ଥଙ୍କ ବ୍ଲଡ୍ ଗ୍ରୁପ୍ (ଏ) ନଜରୀନ୍ଙ୍କ ରକ୍ତ ଗ୍ରୁପ୍ ଏକା ହୋଇଥିବା ବେଳେ ନଦୀମଙ୍କ ରକ୍ତ ଗ୍ରୁପ୍ (ବି) ସତ୍ୟଦେବୀଙ୍କ ରକ୍ତ ଗ୍ରୁପ୍ ସହ ମେଳ ଖାଉଥିଲା। ପ୍ରଥମ ଆଲୋଚନା ହେବାର ମାସେ ପରେ ଉଭୟ ପରିବାର ଏଥିରେ ରାଜି ହୋଇଥିଲେ।