ପଦ୍ମ ଧରିଲେ ଦାମ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ଗେରୁଆ ରଙ୍ଗରେ ରଙ୍ଗୀନ ହେଲେ ଦାମ । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି  ଦାମୋଦର ରାଉତ । ବିଜେଡିରୁ ବହିଷ୍କାର ହେବାର ଠିକ୍ ୬ ମାସ ପରେ ଗେରୁଆ କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି ଦାମ  । ଏହାପୂର୍ବରୁ  ପାରାଦୀପରେ ପଦ୍ମ ଫୁଟାଇବାକୁ ଦାମ ଯେଉଁ ପଣ କରିଥିଲେ ବିଜେପିରେ ମିଶିବା ପରେ ତାହା ଆହୁରି ସହଜ ହୋଇଯିବ ବୋଲି ଚର୍ଚ୍ଚା ହେଉଛି । ଏହାପୂର୍ବରୁ ଦାମ ଆଜି ଗଣମାଧ୍ୟମରେ କହିଥିଲେ, ମୋତେ ଯେଉଁଭଳି ନିନ୍ଦିତ କରାଯାଇଛି ମୁଁ ମଧ୍ୟ ନବୀନ ସରକାରକୁ ସେହିଭଳି ନିନ୍ଦିତ କରିବି ।

ପୁଅର ରାଜନୈତିକ କ୍ୟାରିୟର ଗଢ଼ିବେ ନା’ ବିଜେପିରେ ମିଶି ନିଜ ଅଭିଲାଷା ପୂର୍ଣ୍ଣ କରିବେ, କିଛି ଦିନ ଧରି ଏହି ଦ୍ୱନ୍ଦ୍ୱ ଭିତରେ ରହିଥିବା ଦାମ ରାଉତ, ଶେଷରେ ନିଜ ରାଜନୈତିକ ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି । ଅର୍ଥାତ୍ ବିଜେପିରେ ମିଶି ନବୀନ ବିରୋଧୀ ଅଭିଯାନକୁ ବାଛିଛନ୍ତି ଦାମ । ବୁଧବାର ଦିନ ତାଙ୍କର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ଶେଷ ମୁହୁର୍ତରେ ବାତିଲ ହୋଇଥିଲା । ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ୍ ଅଫର୍ ଦେବା ପରେ ପରିବାରର ଚାପ ଆଗରେ ସେ ମତ ବଦଳାଇଥିବା ଚର୍ଚ୍ଚା ହେଉଥିଲା । ତେବେ ଦିନକ ପରେ ପୁଣି ଥରେ ନବୀନ ବିରୋଧୀ ଆଭିମୁଖ୍ୟକୁ ଦୋହରାଇଛନ୍ତି ଦାମ ।