ନେପାଳରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ଭାରତ ନୂଆ ବୈଦେଶିକ ସଚିବ। ବର୍ତ୍ତମାନର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହି ନୂତନ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ତେବେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା G-୨୦ ସମିଟର ସଂଯୋଜକ ଦାୟିତ୍ୱ ମିଳିପାରେ।
ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୨୩ ନଭେମ୍ୱର ମାସରେ ନୂଆଦିଲ୍ଲୀରେ G-୨୦ ସମିଟର ଆୟୋଜନ କରାଯିବ।
୧୯୮୮ ବ୍ୟାଚର ଆଇଏଫଏସ ଅଫିସର ବିନୟ ମୋହନ ପୂର୍ବରୁ ଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ ଭାବେ ନିଜର ସେବା ଯୋଗାଇ ସାରିଛନ୍ତି । ଏହାସହ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଆମେରିକା, ପାକିସ୍ତାନ, ଇରାନ ଏବଂ ଆଫଗାନିସ୍ତାନ ପରି ଡେସ୍କରେ କାର୍ଯ୍ୟ କରିସାରିଛନ୍ତି। ଫ୍ରାନ୍ସରେ ରାଷ୍ଟ୍ରଦୂତ ନିଯୁକ୍ତ ହେବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅତି ନିକଟରୁ କାମ କରିଥିଲେ। ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ରହିଛି।
ଦୁଇ ବର୍ଷ ଧରି ବୈଦେଶିକ ସଚିବ ଦାୟିତ୍ୱ ତୁଲାଉଥିବା ୧୯୮୬ ବ୍ୟାଚର ଆଇଏଫଏସ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଆସନ୍ତା ଏପ୍ରିଲ ୩୦ ତାରିଖରେ ଅବସର ଗ୍ରହଣ କରିବେ। ନିଜ କାର୍ଯ୍ୟାକାଳ ସମୟରେ ଭାରତ ମହାସାଗରୀୟ କ୍ଷେତ୍ରରେ ବାଂଲାଦେଶ, ଭୂଟାନ ଏବଂ ଅନ୍ୟ ପଡୋଶୀ ରାଷ୍ଟ୍ର ସହ ସମ୍ପର୍କ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।