ନିର୍ବାଚନ ପୂର୍ବରୁ ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: କିଛି ଦିନର ନୀରବତା ପରେ ନିର୍ବାଚନ ପୂର୍ବରୁ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲାରେ ବର୍ବରକାଣ୍ଡ ଘଟାଇଛନ୍ତି। ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ହତ୍ୟାକାଣ୍ଡରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଗୁପ୍ତ ସ୍ୱାଇଁ। ସେ ଠିକାଦାରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ମାଓବାଦୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ରାସ୍ତାକାମରେ ନିୟୋଜିତ ଗୋଟିଏ ଜେସିବି ଓ ଗୋଟିଏ ହାଇୱାକୁ ଜାଳିଦେଇଛନ୍ତି। ଗତକାଲି ଅପରାହ୍ଣରେ ଏହି ଘଟଣା ଘଟିଛି। ଦକ୍ଷିଣ ବସ୍ତର ମାଓବାଦୀ ସଂଗ୍ରଠନ ଏଭଳି ବୀଭତ୍ସ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୁକୁରକୁଣ୍ଡରୁ ଟେମୁରୁପାଲି ରାସ୍ତା ତିଆରି ହେଉଛି। ହେଲେ ମାଓବାଦୀମାନେ ଏହି ରାସ୍ତାକୁ ବିରୋଧ କରୁଥିଲେ। ରାସ୍ତା ନିର୍ମାଣ ଜାରି ରଖିଥିବାରୁ ମାଓବାଦୀ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି।