ତେଲ ତାତିରେ ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଯୋଗୁ ବିନିର୍ମାଣ କ୍ଷେତ୍ରରେ ପ୍ରାୟ ସବୁ ସାମଗ୍ରୀ ମୂଲ୍ୟରେ ବୃଦ୍ଧି ଘଟିଛି। ଦେଶର ସର୍ବବୃହତ ଏଫ୍ଏମ୍ସିଜି ବ୍ରାଣ୍ଡ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ (ଏଚ୍ୟୁଏଲ୍) ଏହାର ଉତ୍ପାଦ ସାମଗ୍ରୀର ମୂଲ୍ୟ ଚଳିତମାସ ୫ଠାରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟାଇଛି। ଏହାଫଳରେ ସାବୁନ୍ଠାରୁ ଆରମ୍ଭ କରି ଶାମ୍ପୁ, କ୍ରିମ୍ ଏବଂ ପାଉଡର ସବୁ କିଛି ମହଙ୍ଗା ହୋଇଛି।
ରିପୋର୍ଟ ଅନୁଯାୟୀ, ପିୟର୍ସ ସାବୁନ୍ ୧୨୫ ଗ୍ରାମର ମୂଲ୍ୟ ୨.୪% ଏବଂ ମଲ୍ଟିପ୍ୟାକ୍ ମୂଲ୍ୟ ୩.୭% ବୃଦ୍ଧି କରାଯାଇଛି। ସେହିପରି ଲକ୍ସ ସାବୁନ୍ର ମୂଲ୍ୟ ୯% ବୃଦ୍ଧି ପାଇଛି। କମ୍ପାନୀ ସନ୍ସିଲ୍କ ଶାମ୍ପୁର ମୂଲ୍ୟକୁ ୮ ରୁ ୧୦ ଟଙ୍କାକୁ ବୃଦ୍ଧି କରିଛି। ଅପରପକ୍ଷେ କ୍ଲିନିକ୍ ପ୍ଲସ୍ ଶାମ୍ପୁ ୧୦୦ ମିଲିର ମୂଲ୍ୟ ୧୫% ବୃଦ୍ଧି କରାଯାଇଛି | ସାବୁନ୍ ଏବଂ ଶାମ୍ପୁ ବ୍ୟତୀତ ସ୍କିନ୍ କ୍ରିମ୍ ଗ୍ଲୋ ଆଣ୍ଡ ଲଭ୍ଲିର ମୂଲ୍ୟ ୬-୮% ବୃଦ୍ଧି ହୋଇଛି। ପଣ୍ଡସ୍ ଟଲକମ୍ ପାଉଡରର ମୂଲ୍ୟ ମଧ୍ୟ ୫-୭% ବୃଦ୍ଧି କରିଛି କମ୍ପାନୀ। ଏଠାରେ ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ପୂର୍ବରୁ କମ୍ପାନୀ ଅନେକ ଉତ୍ପାଦର ମୂଲ୍ୟ ବୃଦ୍ଧି କରିଥିଲା।
ଏହା ପୂର୍ବରୁ ଚଳିତବର୍ଷ ମାର୍ଚ୍ଚରେ ହିନ୍ଦୁସ୍ତାନ ୟୁନିଲିଭର (ଏଚ୍ୟୁଏଲ୍) ଏବଂ ନେସ୍ଲେ ମାର୍ଚ୍ଚ ୧୪ରୁ ମ୍ୟାଗି, ଚା, କଫି ଏବଂ କ୍ଷୀରର ମୂଲ୍ୟ ବୃଦ୍ଧି ଘଟାଇଥିଲେ। ହିନ୍ଦୁସ୍ତାନ ୟୁନିଲିଭର ଏହାର ବ୍ରୁ କଫିର ମୂଲ୍ୟ ୩-୭% , ବ୍ରୁ ଗୋଲ୍ଡ କଫି ଜାରର ମୂଲ୍ୟ ୩-୪% ଏବଂ ଇନଷ୍ଟାଣ୍ଟ କଫି ପାଉଚର ମୂଲ୍ୟ ୩% ରୁ ୬.୬୬% କୁ ବୃଦ୍ଧି କରିଥିଲା। ଏହାବ୍ୟତୀତ ତାଜମହଲ ଚା’ର ମୂଲ୍ୟ ୩.୭-୫.୮% ଏବଂ ବ୍ରୁକ୍ ବଣ୍ଡ୍ର ଅଲଗା ଅଲଗା ଚା’ର ମୂଲ୍ୟ ୧.୫% ରୁ ୧୪% କୁ ବୃଦ୍ଧି କରାଯାଇଛି। ଦର ବୃଦ୍ଧି ପ୍ରସଙ୍ଗରେ ମେ’ ୨ ରେ ଦେଇଥିବା ଏକ ସାକ୍ଷାତକାରରେ, ଏଚ୍ୟୁଏଲ୍ ସିଇଓ ତଥା ଏମ୍ଡି ସଞ୍ଜୀବ ମେହେଟ୍ଟା କହିଛନ୍ତି ଯେ ସେ କମ୍ପାନୀରେ ବିତାଇଥିବା ତାଙ୍କର ୩୦ ବର୍ଷ ମଧ୍ୟରେ ଏପରି ମୁଦ୍ରାସ୍ଫୀତି କେବେ ବି ଦେଖିନାହାଁନ୍ତି।