ନିଆଳି ମେଣ୍ଢା ମୃତ୍ୟୁ ଘଟଣା: ମେଣ୍ଢାଙ୍କୁ ମାରି କଲିଜା କାଢି ନେଉଛି ରାମଶିଆଳ- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର:ନିଆଳି ମେଣ୍ଢା ମୃତ୍ୟୁ ଯନ୍ତୁଙ୍କ  କାଣ୍ଡ । ମେଣ୍ଢାଙ୍କୁ ମାରି କଲିଜା କାଢି ନେଉଛି ରାମଶିଆଳ । ଆଜି ଏମିତି ସ୍ପଷ୍ଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଭଅଁରାଗଡ଼ ଜଙ୍ଗଲରେ ରାମଶିଆଳର ଗାତ ମିଳିଛି ।  ଓଳାଂସରେ ପାଦ ଚିହ୍ନ ଠାବ କରିଛି ଜଙ୍ଗଲ ବିଭାଗ । ଭଅଁରା ଜଙ୍ଗଲରୁ ଯାଇ ଆଖପାଖ ଗାଁରେ ରାତି ୨ଟାରୁ ୪ଟା ଭିତରେ ଶିକାର କରୁଛି । ତାକୁ ଧରିବାକୁ ୩ଟି ଟିମ ଲାଗିଛନ୍ତି । କେବଳ ଏତିକି ନୁହେଁ ଗଣମାଧ୍ୟରେ ବୁଲୁଥିବା ଗଧିଆ ଭିଜୁଆଲ ନିଆଳିର ନୁହେଁ, କି ଗଧିଆ ପାଟିରେ ମେଣ୍ଢା ଧରିନି । ଲୋକେ ଏସବୁ କଥା ନଶୁଣି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ନିଆଳିରେ କିଏ ମେଣ୍ଢା ମାରି କଲିଜା ନେଉଛି ? ଏହା ଫଛରେ କିଏ ? ରାଜ୍ୟସାରା ଏବେ ଏମିତି ଚର୍ଚ୍ଚା । ବିଭାଗୀୟ ମନ୍ତ୍ରୀ  କହିଛନ୍ତି ଏହା ଯନ୍ତୁଙ୍କ କାମ । ରାମଶିଆଳ ନିଆଳିରେ ମେଣ୍ଢା ମାରି କଲିଜା କାଢିନେଉଛି ।  ତଣ୍ଟି କଣା କରିବା ଓ କଲିଜା କାଢି ନେବା ତାର ପ୍ରବୃତ୍ତି । ରାତି ୨ଟାରୁ ୪ ଟା ଭିତରେ ରାମଶିଆଳ ଆକ୍ରମଣ କରେ । ନିଆଳି ମେଣ୍ଢା ମୃତ୍ୟୁ ଏପରି ହେଉଥିବାରରୁ ଏହା ରାମଶିଆଳର କାମ ବୋଲି ଯୁକ୍ତି ବାଢିଛନ୍ତି ମନ୍ତ୍ରୀ । ଭଅଁରାଗଡ ଜଙ୍ଗଲରେ ରାମଶିଆଳର ଗାତ ଓ ଓଳାଂସରେ ପାଦ ଚିହ୍ନ ଜଙ୍ଗଲ ବିଭାଗ ଠାବ କରିବା ମନ୍ତ୍ରୀଙ୍କ ଯୁକ୍ତିକୁ ବଳ ଦେଇଛି । ହେଲେ ରାମଶିଆଳକୁ ଦେଖିହୋଇନି ବୋଲି  ମାନିଛନ୍ତି ମନ୍ତ୍ରୀ ।

ରାମଶିଆଳକୁ ଧରିବାକୁ ଏବେ ରାତି ଦିନ ଏକ କରିଦେଇଛନ୍ତି ୩ଟି ଟିମ। ସିସି କ୍ୟାମେରା ବି ଲାଗିଛି । ଲୋକଙ୍କୁ ସଚେତନ କରାଯାଉଛି। ଜଙ୍ଗଲ ବିଭାଗ ପକ୍ଷରୁ ଚାଲିଛି ପାଟ୍ରୋଲିଂ। ହେଲେ ଗଣମାଧ୍ୟମରେ ଦେଖାଯାଉଥିବା ଚିତ୍ର ନିଆଳି ଅଞ୍ଚଳର ନୁହେଁ। ଭିଡିଓରେ ଗଧିଆ ବଲୁଥିବା ରାସ୍ତା ଓ ସ୍ଥାନ ନିଆଳିର ନୁହେଁ ,କି ଗଧିଆ ପାଟିରେ ମେଣ୍ଢା ନୁହେଁ, ପିଲାକୁ ଧରିଛି ବୋଲି କହୁଛନ୍ତି ମନ୍ତ୍ରୀ । ତେଣୁ ଏଭଳି ଚିତ୍ର ଓ ସୋସିଆଲ ମିଡିଆ କଥାରେ ନପଡିବାକୁ ପରାମର୍ଶ ଦେଇଛନ୍ତି  । ଭଅଁରାଗଡ ଜଙ୍ଗଲ ହେଉଛି ୬୨୫ ଏକର। ଏହା ଭିତରେ ରାମଶିଆଳକୁ ଠାବ କରି କାଢିବା ଜଙ୍ଗଲ ବିଭାଗ ଓ ପ୍ରଶାସନ ଲାଗି ଚ୍ୟାଲେଞ୍ଚ ହୋଇଛି ।