ଦୟାଲ୍‌ ଆଶ୍ରମରେ ଡେମୋ ଦେଖାଇଲା ବେଳେ କାନ୍ଦି ପକାଇଲେ ଶର୍ମିଷ୍ଠା

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ କେମିତି ହତ୍ୟା କରାଯାଇଛି? ଆଉ କେଉଁଠି ହତ୍ୟା କରାଯାଇଛି? ଏମିତି ଅନେକ ପ୍ରଶ୍ନ ଭିତରେ କ୍ରାଇମବ୍ରାଞ୍ଚ ଛନ୍ଦି ହୋଇପଡ଼ିଥିବା ବେଳେ ଆଜି ହତ୍ୟାକାଣ୍ଡର ଡେମୋ ଦେଖାଇଲା ବେଳେ କାନ୍ଦି ପକାଇଛନ୍ତି ମୁଖ୍ୟଅଭିଯୁକ୍ତ ଶର୍ମିଷ୍ଠା ରାଉତ। କ୍ୟାମେରାମ୍ୟାନ୍‌ ହତ୍ୟାକାଣ୍ଡର ଗୁମର ଖୋଲିବା ପାଇଁ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ।

ହେଲେ ତଦନ୍ତରେ ସେ ସହଯୋଗ କରୁନଥିବା ଆଲୋଚନା ହେଉଥିଲା। ତେବେ ଆଜି ରିମାଣ୍ଡର ଚତୁର୍ଥ ଦିନରେ ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ସ୍ଥିତ ଦୟାଲ୍‌ ଆଶ୍ରମକୁ ନେଇଥିଲା କ୍ରାଇମବ୍ରାଞ୍ଚ। ସେଠାରେ ପହଞ୍ଚିବା ପରେ ଶର୍ମିଷ୍ଠା କାନ୍ଦି ପକାଇଥିଲେ। ଅପହରଣ ପରେ ମାନସଙ୍କୁ କେଉଁଠି ରଖାଯାଇଥିଲା? କେମିତି ହତ୍ୟା କରାଯାଇଥିଲା? ସେନେଇ ଆଙ୍ଗୁଠି ଠାରି ହତ୍ୟାକାଣ୍ଡର ଟିକ୍‌ନିଖି ସୂଚନା ଦେଇଥିଲେ ଶର୍ମିଷ୍ଠା।

ଦୟାଲ୍‌ ଆଶ୍ରମରେ ଡେମୋ ଦେଖାଇବା ପରେ ଶର୍ମିଷ୍ଠାଙ୍କୁ ମୃତଦେହ ପୋତା ଯାଇଥିବା ସ୍ଥାନ ନୟାଗଡ଼ ରଣପୁର ବଧିପାଟଣା ନିଆଯାଇଛି। ସେଠାରେ ମଧ୍ୟ ଶର୍ମିଷ୍ଠା ଡେମୋ ଦେଖାଇଥିଲେ। ଏହା ପୂର୍ବରୁ ଆଜି ସକାଳେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍‌ ଶର୍ମିଷ୍ଠାଙ୍କୁ ଧରି ଚାନ୍ଦବାଲିର ପଳାଶପୁରରେ ପହଞ୍ଚି ଥିଲେ। ଯେଉଁଠିକି ମାନସ ବିବାହର ଶୁଟିଂ ପାଇଁ ଯାଇଥିଲେ ଓ ଯେଉଁ ଜାଗାରୁ ମାନସଙ୍କୁ ଅପହରଣ କରାଯାଇଥିଲା। ଅପହରଣ ଦିନ ବଧିମୁହାଁ ସାହିର ଦୋଳ ମଣ୍ଡପରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ବସିଥିଲେ। ସେଇଠି ବସି ମାନସଙ୍କୁ ଅପହରଣ କରିବା ଲାଗି ଷଡ଼ଯନ୍ତ୍ର କରିଥିଲେ ବୋଲି ଶର୍ମିଷ୍ଠା କହିଥିବା କୁହାଯାଇଛି।

ଫେବ୍ରୁଆରୀ ୬ ତାରିଖରେ ମାନସ ବିବାହ ଶୁଟିଂ କରିବା ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁକୁ ଯାଇଥିଲେ। ତା’ପର ଦିନ ଅର୍ଥାତ ୭ ତାରିଖରେ ଦୁଇ ସାଙ୍ଗ ଭୁବନେଶ୍ୱର ଫେରୁଥିଲେ। ହେଲେ ଅଧା ରାସ୍ତାରୁ ୱେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ପରେ ତାଙ୍କୁ ଦୟାଲ୍‌ ଆଶ୍ରମରେ ରଖି ନିର୍ଧୁମ ଛେଚିଥିଲେ। ଫଳରେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା। ପରେ ମୃତଦେହକୁ ନୟାଗଡ଼ରେ ଏକ ପାହାଡ଼ ପାର୍ଶ୍ୱରେ ପୋତି ଦେଇଥିଲେ। ପରେ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଚଣ୍ଡିଖୋଲରେ ଫିଙ୍ଗି ଦେଇଥିଲେ।

ମାନସଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଚାନ୍ଦବାଲି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ଗାଡ଼ି ଚାଳକକୁ ଗିରଫ କରିଥିଲା। ତା’ପରେ ଜଣେ ପରେ ଜଣେ ଗିରଫ ହୋଇଥିଲେ। ଚାନ୍ଦବାଲି ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ତେବେ ମାମଲାର ଖିଅ ତିନିଟି ଜିଲ୍ଲା ଭିତରେ ସୀମିତ ଥିବାରୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ଡିଜିକି। ଏହାପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଥିଲା।