ଦିଲ୍ଲୀ କ୍ୟାପିଟାଲସ୍‌ର ୫ ସଦସ୍ୟଙ୍କୁ କରୋନା; ପୁନେରୁ ସ୍ଥାନାନ୍ତର ହେଲା ଦିଲ୍ଲୀ-ପଞ୍ଜାବ ମ୍ୟାଚ୍

ଆଇପିଏଲରେ ପୁଣି କରୋନା ଆତଙ୍କ। ଦିଲ୍ଲୀ କ୍ୟାପିଟାଲସ୍‌ର କ୍ୟାମ୍ପରେ ଏବେ ହୋଇଛି କରୋନା ବିସ୍ଫୋରଣ। ଗୋଟିଏ ନୁହେଁ, ବଂର ୫ଟି କରୋନା କେସ୍‌ ଦେଖିବାକୁ ମିଳିଛି। ଏହାପରେ ବିସିସିଆଇ ନେଇଛି ବଡ ନିଷ୍ପତ୍ତି। ଏବେ ଦିଲ୍ଲୀ କ୍ୟାପିଟାଲସ୍ ଓ ପଞ୍ଜାବ କିଙ୍ଗସ୍ ଭିତରେ ହେବାକୁ ଥିବା ମ୍ୟାଚ୍‌ ପୁନେରେ ନହୋଇ ମୁମ୍ବାଇରେ ଆୟୋଜନ କରାଯିବ।

ଆଇପିଏଲ ଦ୍ବାରା ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଥିଲା ଯେ, ଦିଲ୍ଲୀ କ୍ୟାପିଟାଲସ୍‌ର ୫ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଛି। ଏହି କାରଣରୁ ଏଭଳି ନିଷ୍ପତ୍ତି ନେବାକୁ ପଡିଛି। କରୋନା ସଂକ୍ରମିତ ହୋଇଥିବା ଏହି ଖେଳାଳିମାନେ ହେଲେ .. ପ୍ୟାଟ୍ରିକ୍ ଫରହାର୍ଟ(ଫିଜିଓ),ଚେତନ କୁମାର(ମସାଜ ଥେରାପିଷ୍ଟ), ମିଚେଲ ମାର୍ଶ(ଖେଳାଳି), ଅଭିଜିତ୍ ସାଲଭି(ଡାକ୍ତର) ଓ ଆକାଶ ମାଣେ(ସୋସିଆଲ ମିଡିଆ ଟିମ୍)।

ମିଳିଥିବା ସୂଚନା ଅନୁସାରେ, କରୋନା ସଂକ୍ରମିତ ଥିବାର ଜଣାପଡିବା ପରେ ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଆଇସୋଲେସନ୍‌ର ଷଷ୍ଠ ଓ ସପ୍ତମ ଦିନ ସବୁ ଟେଷ୍ଟ କରାଯିବ। ଏହା ଅନୁସାରେ ଆଗକୁ ନିଷ୍ପତ୍ତି ନିଆଯିବ। ୧୬ ଏପ୍ରିଲ ପରେ ଦିଲ୍ଲୀ କ୍ୟାପିଟାଲସ୍‌ର ପୁରା କ୍ୟାମ୍ପରେ ପ୍ରତିଦିନ ଆରଟି-ପିସିଆର ଟେଷ୍ଟ କରାଯାଉଛି। ୧୯ ଏପ୍ରିଲରେ ଚତୁର୍ଥ ରାଉଣ୍ଡର ଯେଉଁ ଟେଷ୍ଟ କରାଯାଇଛି, ତାହା ଅନୁସାରେ ସବୁ ନେଗେଟିଭ ଆସିଛି। ୨୦ ଏପ୍ରିଲ ସକାଳେ ପୁରା ଟିମ୍‌ର ଟେଷ୍ଟ କରାଯିବ।