ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ବ୍ୟତୀତ ସେ ୧୪ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତ ଗସ୍ତରେ ଅଛନ୍ତି । ଜାପାନ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ସ୍ବାଗତ କରିଥିଲେ ।
ଆଜିଠାରୁ ଭାରତ-ଜାପାନ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶିଦାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମାର୍ଚ୍ଚ ୧୯-୨୦ ଦୁଇ ଦିନ ୧୪ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି । ଗତ ବାର୍ଷିକ ଶିଖର ସମ୍ମିଳନୀ ୨୦୧୮ ରେ ଟୋକିଓରେ ହୋଇଥିବାବେଳେ ଚଳିତଥର ଏହାର ଆୟୋଜନ ନୂଆଦିଲ୍ଲୀରେ ହେଉଛି ।