ଦିବଙ୍ଗତ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ସମ୍ମାନ ବିତରଣ ସମାରୋହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ସ୍ୱର୍ଗତ କଲ୍ୟାଣ ସିଂଙ୍କ ପୁଅ ରାଜବୀର ସିଂ। ଏହାସହ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପ୍ରଭା ଆତ୍ରେଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

କୋଭାକ୍ସିନର ନିର୍ମାଣ କରିଥିବା ଭାରତ ବାୟୋଟେକର ମୁଖ୍ୟ କ୍ରିଷ୍ଣା ଇଲ୍ଲା ଏବଂ ତାଙ୍କ ପତ୍ନୀ ସୁଚିତ୍ରା ଇଲ୍ଲାଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେହିପରି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା, ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ଓଡିଆ ପୁଅ ପ୍ରମୋଦ ଭଗତ, ପାଲା ଆଥଲେଟ୍ ସୁମିତ ଅଣ୍ଟିଲଙ୍କୁ ପଦ୍ମଶ୍ରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହାସହ କଣ୍ଠଶିଳ୍ପୀ ସୋନୁ ନିଗମ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି। ବରିଷ୍ଠ କଣ୍ଠଶିଳ୍ପୀ ଚୌହ୍ୱାନଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।

ଉଲ୍ଲେଖଯୋଗ୍ୟ ଯେ, ପଦ୍ମ ବିଭୂଷଣ ଭାରତ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ। ୨୦୨୨ ମସିହା ପାଇଁ ମୋଟ ୪ଟି ପଦ୍ମ ବିଭୂଷଣ, ୧୭ଟି ପଦ୍ମ ଭୂଷଣ ଏବଂ ୧୦୭ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଘୋଷଣା ହୋଇଥିଲା । ସମ୍ମାନ ପାଇବାକୁ ଥିବା ତାଲିକାରେ ମୋଟ ୩୪ ଜଣ ମହିଳା ଅଛନ୍ତି । ଏହାଛଡା ୧୩ ଜଣ ମରଣୋତ୍ତର ପଦ୍ମ ସମ୍ମାନାରେ ସମ୍ମାନିତ ହେବେ । ଗତ ୨୧ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ପଦ୍ମ ପୁରସ୍କାର ବିତରଣ ପ୍ରଥମ ପର୍ଯ୍ୟାୟ ସମାରୋହ। ସୋମବାର ଏହାର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନା ହୋଇଛି।