ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ପୁରସ୍କାର

ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ରୂପାୟନ ଏବଂ ସେଗୁଡ଼ିକର ସଫଳ ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ପୁରସ୍କାର ମିଳିଛି । ନିକଟରେ ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ଷ୍ଟେଟ୍ ଅଫ୍ ଦ ଷ୍ଟେଟ୍ ଓଡ଼ିଶା’ କନ୍କ୍ଲେଭ୍ରେ ଦକ୍ଷତା ବିକାଶ କ୍ଷେତ୍ରରେ ‘ବେଷ୍ଟ ଇମ୍ପ୍ରୁଭ୍ଡ୍ ଡିଷ୍ଟ୍ରିକ୍ଟ’ ଭାବେ ସୁନ୍ଦରଗଡ଼କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ଶୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ।

ଏହି ସଫଳତା ଲାଗି ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ସହଯୋଗୀ ଅନୁଷ୍ଠାନଗୁଡ଼ିକୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ କୋଚିଂ ଓ ତାଲିମ ନେଉଥିବା ଜିଲ୍ଲାର ଛାତ୍ରଛାତ୍ରୀ ତଥା ଶିକ୍ଷିତ ଯୁବକ ଯୁବତୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଏହି ସ୍ୱତନ୍ତ୍ର କନ୍କ୍ଲେଭ୍ରେ ବିଭିନ୍ନ ବର୍ଗରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସମ୍ମାନିତ କରାଯାଇଥିବା ବେଳେ ସୁନ୍ଦରଗଡ଼କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବିଶେଷ ସଫଳତା ପାଇଁ ଏହି ସମ୍ମାନ ଦିଆଯାଇଛି ।

ଗତ କିଛି ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛି ପ୍ରଶାସନ । ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀ, ବିଶେଷକରି ଖଣି ପ୍ରଭାବିତ ଅଞ୍ଚଳର ଶିକ୍ଷିତ ଯୁବବର୍ଗଙ୍କ ମଧ୍ୟରେ ନିଯୁକ୍ତି ସମ୍ଭାବନା ବଢ଼ାଇବା ଲାଗି ସେମାନଙ୍କୁ ‘ସୁଦକ୍ଷ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରାଯାଉଛି । ଏଥିପାଇଁ ଜିଲ୍ଲାର ସୁନ୍ଦରଗଡ଼, ରାଉରକେଲା, ବଣାଇଁ ଓ କୋଇଡ଼ାଠାରେ ୪ଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ସେହିପରି ଖଣି ପ୍ରଭାବିତ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସ୍ୱପ୍ନ ସାକାର କରିବା ପାଇଁ ଆଇଆଇଟି, ଜେଇଇ, ଏନ୍୍ଇଇଟି, କ୍ଲାଟ୍୍ ଏବଂ ନାଟା ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ମାଗଣାରେ କୋଚିଂ ଦିଆଯାଉଛି । ହାଇସ୍କୁଲ ଏବଂ ଯୁକ୍ତଦୁଇ ସ୍ତରରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର କ୍ୟାରିୟର ସ୍ୱପ୍ନ ପୂରଣ ଲାଗି ଏହି ବିଶେଷ କୋଚିଂ କାର୍ଯ୍ୟକ୍ରମ କରାଯାଉଛି । ଏଥିପାଇଁ ଜିଲ୍ଲାର ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ରାଉରକେଲାଠାରେ ୩ଟି କେନ୍ଦ୍ର ଖୋଲାଯାଇଛି ।

ଡାକ୍ତରୀ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଭଲ ନମ୍ବର ରଖିବା ପାଇଁ ସାରା ଦେଶରୁ ଅନେକ ଛାତ୍ରଛାତ୍ରୀ ରାଜସ୍ଥାନର କୋଟା ଯାଇ କୋଚିଂ ନେଇଥାନ୍ତି । କୋଟାର ସେହି ଅନୁଭୂତିସଂପନ୍ନ କୋଚିଂ ଅନୁଷ୍ଠାନ ମଧ୍ୟରୁ ଦୁଇଟି ସଂସ୍ଥାକୁ ବାଛି ସୁନ୍ଦରଗଡ଼ର ଏହି ତିନୋଟି କୋଚିଂ ସେଣ୍ଟରର ଦାୟିତ୍ୱ ଦିଆଯାଇଛି । ଫଳରେ ଜିଲ୍ଲାର ମେଧାବୀ ପିଲାମାନଙ୍କର ଭବିଷ୍ୟତର ଲକ୍ଷ୍ୟ ସୁଗମ ହୋଇପାରିବ ।

‘ସୁଦକ୍ଷ’ ଓ ଆଇଆଇଟି ଜେଇଇ ଭଳି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସହ ରହିବା, ଖାଇବା ଏବଂ ପାଠ୍ୟ ଉପକରଣ ପ୍ରଦାନ କରାଯାଉଛି । ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇଦେଉଛି ।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ନିଯୁକ୍ତି ସମ୍ଭାବନାକୁ ଆହୁରି ବ୍ୟାପକ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କୁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଦିଆଯାଉଛି । ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚୁ୍ୟଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ୍ ମାଧ୍ୟମରେ ଡିଗ୍ରୀ, ଡିପ୍ଲୋମା ଏବଂ ବିଭିନ୍ନ ସାର୍ଟିଫିକେଟ୍ କୋର୍ସରେ ଜିଲ୍ଲାର ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ କରିବାର ସୁଯୋଗ ସୃଷ୍ଟି ହୋଇପାରିଛି । ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଛି ।

ସେହିପରି ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀଙ୍କ ମଧ୍ୟରେ କମ୍ପୁ୍ୟଟର ଜ୍ଞାନ ସହିତ ଯୋଗାଯୋଗ ଦକ୍ଷତା ବଢ଼ାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ (ଓକେସିଏଲ୍) ଅଧୀନରେ ‘ଜବ୍ ରେଡିନେସ୍ ପ୍ରୋଗ୍ରାମ ଫର୍ ୟୁଥ୍’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲାରେ ୧୦ଟି ସ୍ମାର୍ଟ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର କରାଯାଇ ଡିଜିଟାଲ, କମୁ୍ୟନିକେସନ, କମ୍ପୁ୍ୟଟର ଶିକ୍ଷା ଆଦି ସହିତ ଇଂରାଜୀ ଭାଷାରେ ଦକ୍ଷ କରିବା ପାଇଁ ପ୍ରାର୍ଥୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି ।

ସେହିପରି ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ପ୍ଲାଷ୍ଟିକ ଟେକନୋଲୋଜି ସମ୍ପର୍କରେ ତାଲିମ ଦେବା ପାଇଁ ରାଉରକେଲା ସ୍ଥିତ ବିପିୟୁଟି କ୍ୟାମ୍ପସରେ ସେଣ୍ଟ୍ରାଲ ଇନଷ୍ଟିଚୁ୍ୟଟ୍ ଅଫ୍ ପେଟ୍ରୋକେମିକାଲ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲୋଜି (ସିପେଟ୍) କେନ୍ଦ୍ର ଖୋଲାଯାଇଛି । ନିକଟରେ ଏଠାରେ ପ୍ଲାଷ୍ଟିକ ପ୍ରକ୍ରିୟାକରଣରେ ମେସିନ ଅପରେଟର ତାଲିମ ଶେଷ କରିଥିବା ୬୨ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି ।

ଏଥିରୁ ୨୨ ଜଣ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ତାଲିମ ପାଇଁ ସାମିଲ ହୋଇଥିବା ବେଳେ ବାକି ୪୦ ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ମାଗଣାରେ ତାଲିମ ଲାଗି ସୁଯୋଗ ମିଳିଛି ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ମଧ୍ୟ ଜିଲ୍ଲାର ବିଭିନ୍ନ ଖଣି ପ୍ରଭାବିତ ବ୍ଲକ, ଆଦିବାସୀ ଏବଂ ଗରିବ ଶ୍ରେଣୀର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ଟ୍ରେଡ୍ରେ ମାଗଣାରେ ଧନ୍ଦାମୂଳକ ତାଲିମ ଦିଆଯାଉଛି । ଆବଶ୍ୟକ ତାଲିମ ନେଇ ସେମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କମ୍ପାନିରେ ନିଯୁକ୍ତି ପାଇପାରୁଛନ୍ତି ।