ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କ୍ଷେତ୍ରରେ ନିବେଶ ନିମନ୍ତେ ଭାରତକୁ ଆମନ୍ତ୍ରଣ କଲା ଋଷିଆ

ଯୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣାର ଏବେ ମୂଲ୍ୟ ଦେବାକୁ ପଡୁଛି ଋଷିଆକୁ। ଯୁଦ୍ଧଲାଗି ପାଶ୍ଚାତ୍ୟ ଦେଶମାନେ ଲଗାଇଥିବା କଟକଣା ଋଷିଆର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏଥିରେ ପରିସ୍ଥିତିର ମୁକାବିଲା ନିମନ୍ତେ ଋଷିଆ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କ୍ଷେତ୍ରରେ ନିବେଶ ନିମନ୍ତେ ଭାରତକୁ ଆମନ୍ତ୍ରଣ କରିଛି।

୧୯୯୧ ମସିହାରେ ସୋଭିଏତ ସଂଘର ବିଘଟନ କାଳରେ ଋଷିଆ ସମ୍ମୁଖୀନ ହୋଇଥିବା ସଂକଟରୁ ମଧ୍ୟ ଏବେ ଗୁରୁତର ପରିସ୍ଥିତିର ସମ୍ମୁଖୀନ ହୋଇଛି। ରିପୋର୍ଟ ଅନୁସାରେ କଟକ ପ୍ରଭାବିତ ମସ୍କୋ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ନିବେଶ ଲାଗି ଭାରତକୁ ଅାହ୍ୱାନ ଦେଇଛି। ଏଥିରୁ ଏସିଆର ତୃତୀୟ ବୃହତ୍ତ ଅର୍ଥନୀତି ଭାରତରେ ଋଷୀୟ କମ୍ପାନୀଙ୍କ ବିକ୍ରି ନେଟୱାର୍କ ବିସ୍ତାର ଲାଗି ଆଗ୍ରହୀ ଥିବାର ଜଣାପଡିଛି। ଋଷିଆ ଉପପ୍ରଧାନମନ୍ତ୍ରୀ ଏଲକଜେଣ୍ଡର ନୋଭାକଙ୍କ ଅନୁସାରେ ଭାରତ ଏବେ ଋଷିଆରୁ ୧ ବିଲିୟନ ଡଲାର ପାଖାପାଖି ପେଟ୍ରୋଲିୟନ ଉତ୍ପାଦ ଆମଦାନୀ କରୁଛି। ଏବେ ଭାରତ ଚାହିଁଲେ ଏହି ପରିମାଣ ବୃଦ୍ଧି କରିପାରେ।

ଏ ବାବଦରେ ନୋଭାକ ଭାରତୀୟ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହପୁରୀଙ୍କ ସହ କଥାବାର୍ତ୍ତା କାଳରେ ଋଷିଆର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କ୍ଷେତ୍ରରେ ଭାରତର ନିବେଶ ବୃଦ୍ଧି ସହ ଋଷୀୟ କମ୍ପାନୀଙ୍କ ଉତ୍ପାଦର ବିକ୍ରି ନେଟୱାର୍କ ଭାରତରେ ସମ୍ପ୍ରସାରଣ ଲାଗି ଆଗ୍ରହୀ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ଉପରେ ଆକ୍ରମଣ ଲାଗି ଆମେରିକା ଋଷିଆର ତୈଳ କିଣିବାକୁ ଏବେ ମନା କରିଦେଇଛି। ଆମେରିକା ଦେଖା ଦେଖି ବ୍ରିଟେନ ମଧ୍ୟ ତୈଳ ପ୍ରତିବନ୍ଧକ ଲାଗି ଘୋଷଣା କରିଛନ୍ତି। ତେବେ ବ୍ରିଟେନର ଏହି କଟକଣା ହୁଏତ ଚଳିତବର୍ଷ ଶେଷ ଆଡକୁ କାର୍ଯ୍ୟକାରୀ କରିପାରେ। ବିଶ୍ବରେ ଅଶୋଧିତ ତୈଳର ଋଷିଆ ହେଉଛି ସବୁଠାରୁ ବଡ଼ ରପ୍ତାନୀକାରୀ ଦେଶ। ଏବେ ଅନ୍ତର୍ଜାତୀୟ କଟକଣା ଯୋଗୁ ଦେଶର ତୈଳ କାରବାର ବନ୍ଦ ହୋଇଯିବାର ପରିସ୍ଥିତି ଉପୁଜିଛି।

ଏଥିରେ ଭାରତ ତୈଳ ଆମଦାନୀରେ ବିଶ୍ୱର ଦ୍ୱିତୀୟ ବୃହତ୍ତ ଦେଶ। ଏଣୁ ଋଷିଆର ଆମନ୍ତ୍ରଣ ସ୍ୱୀକାର କଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥିର ମୂଲ୍ୟରେ ତୈଳ ଆମଦାନୀ କରିପାରିବ। ତେବେ ଏହା ମଧ୍ୟ ଏବେ ଜଟିଳ। ପରିବର୍ତ୍ତିତ ପରିସ୍ଥିତିରେ ଋଷିଆର ନିକଟବର୍ତ୍ତି ହେବା ଭାରତ ଲାଗି ଏତେ ସହଜ ନୁହେଁ। ଏଥିରେ ଦେଶର ପାଶ୍ଚାତ୍ୟ ସମ୍ପର୍କ ତୁଟିବା ଭଳି ପରିସ୍ଥିତି ବି ଉପୁଜିପାରେ। ଜାତିସଂଘରେ ଋଷିଆ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବ ସପକ୍ଷରେ ଭୋଟ ଲାଗି ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଭାରତ ଉପରେ ଚାପ ପକାଉଛନ୍ତି। ତେବେ ଭାରତ ଏବେ ସମ ଦୂରତା ଅବଲମ୍ବନ କରୁଥିବାବେଳେ ଦେଶର କୂଟନୈତିକ ନିଷ୍ପତ୍ତିକୁ ଏବେ ଅପେକ୍ଷା କରାଯାଇଛି।