ତେଲେଙ୍ଗାନାରେ ଲକ୍ ଡାଉନ୍ ଅବଧି ମେ’ ୭ ଯାଏଁ ବଢ଼ିଲା

ହାଇଦ୍ରାବାଦ: କରୋନା ସଂକ୍ରମଣକୁ ଦୃଷ୍ଟିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଲକ୍ ଡାଉନ୍ ଅବଧି ମେ’ ୭ ଯାଏଁ ବୃଦ୍ଧି କରିଦେଇଛନ୍ତି । ଏହି ଘୋଷଣା ସେ ଗତକାଲି କରିଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ରାଜ୍ୟରେ ଲକଡାଉନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ରାଜ୍ୟରେ ସୋମବାର ଠାରୁ ଫୁଡ ଡେଲିଭରି ଆପ ପରିଚାଳନ ଅନୁମତି ମିଳିବ ନାହିଁ ।

ତେଲେଙ୍ଗାନାରେ କରୋନାରେ ଏପର୍ଯ୍ୟନ୍ତ ୮୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ୪୯ ଜଣ ଚିହ୍ନଟ ହୋଇଛନ୍ତି । କେବଳ ରାଜଧାନୀ ହାଇଦ୍ରାବାଦରେ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୦ ।

ସେହିଭଳି ହାଇଦ୍ରାବାଦ ପୋଲିସର ଜଣେ ୩୫ ବର୍ଷିଅ କନଷ୍ଟେବଳ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କର ଜଣେ ସହକର୍ମୀ କରୋନା ସଂକ୍ରମିତ ହୋଇଥିଲେ । ରାଜ୍ୟରେ ଏପର୍ଯ୍ୟନ୍ତ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ପୋଲିସ କହିଛି ଯେ, ଉଭୟ ଏପ୍ରିଲ ୧ରୁ ୫ ଯାଏଁ ସହରର ଗୋଟିଏ ସ୍ଥାନରେ କାର୍ଯ୍ୟରତ ଥିଲେ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜଣେ କନଷ୍ଟେବଳ କରୋନା ଭାଇରସ ସଂକ୍ରମଣ ଶନିବାର ଚିହ୍ନଟ ହୋଇଥିବା ବେଳେ ରବିବାର ଆଉ ଜଣେ ଚିହ୍ନଟ ହୋଇଥିଲେ ।