ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ.ଅନ୍ନାମଲାଇଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଏବଂ ରାଜ୍ୟ ପୋଲିସର ସିଆଇଡିର ସଶସ୍ତ୍ର ବ୍ୟକ୍ତଗତ ସୁରକ୍ଷା ଅଧିକାରୀ ତାଙ୍କୁ ସୁରକ୍ଷା ପ୍ରଦାନ କରିବେ।
ଆଇପିଏସ ଅଧିକାରୀରୁ ରାଜନେତା ହୋଇଥିବା ଅନ୍ନମଲାଇଙ୍କ ସୁରକ୍ଷାକୁ ନେଇ ଗୁଇନ୍ଦା ସଂସ୍ଥା ଗୁଡିକ ଏକ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରଦାନ କରିଥିଲେ। ଏହି ରିପୋର୍ଟକୁ ଆଧାର କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନ୍ନାମଲାଇଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ମାସରେ, ଚେନ୍ନାଇରେ ରାଜ୍ୟ ବିଜେପି କାର୍ଯ୍ୟାଳୟ କମଳାୟମରେ ପେଟ୍ରୋଲରେ ଭର୍ତ୍ତି ବୋତଲ ମିଳିଥିଲା। ଫେବ୍ରୁଆରୀ ୧୦ ତାରିଖରେ ପେଟ୍ରୋଲ ବୋମା ଫିଙ୍ଗିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା।
ଏହା ପୂର୍ବରୁ, ରାଜ୍ୟ ପୋଲିସର ଗୁଇନ୍ଦା ବିଭାଗ ତାଙ୍କ ଫୋନ ଟ୍ୟାପିଂ କରୁଥିବା ବିଜେପି ନେତା ଅଭିଯୋଗ କରିଥିଲେ। ତିନି ମାସ ପୂର୍ବେ ରାଜ୍ୟ ସୁରକ୍ଷା କମିଟି ବିପଦର ଆଶଙ୍କାର ଆକଳନ କରିବା ପରେ ତାମିଲନାଡୁ ସରକାର ଅନେକ ଲୋକଙ୍କ ସୁରକ୍ଷାକୁ କମ କରିଥିଲେ।