ଢେଙ୍କାନାଳ: ନାଧରାରେ ସଡ଼କ ଦୁର୍ଘଟଣା, ୪ ମୃତ

ଢେଙ୍କାନାଳ: ନାଧରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବୋଲେରୋ ମଧ୍ୟରେ ସାମ୍ନାସାମ୍ନି ଧକ୍କାରେ ୪ ମୃତ, ଜଣେ ଗୁରୁତର । ସମସ୍ତ ମୃତକ ଗୋଟିଏ ପରିବାରର । ସେମାନେ ହେଲେ ଦେବଗଡ଼ ଲାଣ୍ଡିଝର ଗାଁର ପବିତ୍ର ମୋହନ ପ୍ରଧାନ, ତାଙ୍କ ସ୍ତ୍ରୀ ପ୍ରେମମଞ୍ଜରୀ ପ୍ରଧାନ ଏବଂ ପୁଅ ପରେଶ ପ୍ରଧାନ । ଅନ୍ୟ ଜଣକ ବୋଲେରୋ ଡ୍ରାଇଭର୍, କିନ୍ତୁ ତାଙ୍କ ପରିଚୟ ମିଳିପାରି ନାହିଁ । ବୁର୍ଲାରେ ଏମାନେ ସପରିବାର ରହନ୍ତି । ପବିତ୍ର କ୍ୟାନସର୍ ପୀଡ଼ିତ ହୋଇଥିବାରୁ କେମୋ ନେବାକୁ କଟକ ଆସିଥିଲେ । ଆଉ ବୁର୍ଲା ଫେରିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପବିତ୍ରଙ୍କ ପୁତୁରା ପ୍ରୀତିଭୂଷଣ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ବୋଲୋରୋଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଛି । ଟ୍ରକ୍ ଡ୍ରାଇଭର୍ ଓ ହେଲପର୍ ଫେରାର୍ ହୋଇ ଯାଇଛନ୍ତି ।