ଝାଡ଼ଖଣ୍ଡରେ ସଡ଼କ ଦୁର୍ଘଟଣା: ୧୦ମୃତ

ରାଞ୍ଚି: ଝାଡ଼ଖଣ୍ଡ ରାମଗଡ଼ ଜିଲାର କୁଜୁଠାରେ ଶନିବାର ସକାଳୁ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୩ ମହିଳା, ୩ ପିଲା ଓ ୪ ପୁରୁଷ ଅଛନ୍ତି। ଏମାନେ ସମସ୍ତେ ସମ୍ପର୍କୀୟ। ଏଥିରେ ଅନ୍ୟ ୨ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ରାଞ୍ଚି-ପାଟନାର ଫୋର୍‌ଲେନ୍‌ ନିକଟରେ ଏମାନେ ଆସୁଥିବା ଏକ ଇନୋଭା ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସମସ୍ତେ ପାଟନାରୁ ଏକ ଭୋଜିରେ ଯୋଗଦେଇ ହଟିଆ ସ୍ଥିତ ରେଲଓ୍ବେ କଲୋନି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତାହତଙ୍କୁ ପୋଲିସ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।