ଜୋର ଧରିଛି ସ୍ପର୍ଶ ବିବାଦ : ସେବାୟତ ପ୍ରଶାସନ ମୁହାଁ ମୁହିଁ !

ପୁରୀ:ଶ୍ରୀମନ୍ଦିର ପ୍ରଶାସନର ସବୁ କଟକଣା ଫ୍ଲପ୍ । ସେବାୟତ ସହଯୋଗ କଲେନି, ତେଣୁ ହାଇକୋର୍ଟ ନିର୍ଦ୍ଦେଶର ଉଲ୍ଲଘଂନ ହେଲା । ରଥରେ ଚଢ଼ି ଶ୍ରୀଜିଉଙ୍କୁ ଛୁଇଁଲେ ସାଧାରଣ ଲୋକେ । ଯାହାକୁ ନେଇ ସ୍ପର୍ଶ ବିବାଦ ଜୋର୍ ଧରିଛି । କାହିଁକି ଓ କେଉଁ ପରିସ୍ଥିତିରେ ଅନଧିକୃତ ଲୋକେ ଶ୍ରୀବିଗ୍ରହଙ୍କୁ ଛୁଇଁଲେ, ତାହା ତ ସିସିଟିଭି କହିବ । ସିସିଟିଭି ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନର କଥା ଆସିବ । କିନ୍ତୁ ଭକ୍ତ-ଭଗବାନ ସ୍ପର୍ଶକୁ ନେଇ ଟକରା-ଟକରି ହେଲେଣି ପ୍ରଶାସନ ଓ ସେବାୟତ ।

ଦିଅଁ ଛୁଇଁବାକୁ ସେବାୟତଙ୍କ ଜିଦ । ସେପଟେ କଟକଣା ଜାରିକରିଛି ପ୍ରଶାସନ । ରଥକୁ ଶ୍ରୀଜୀଉଁ ଆସିବା ପରେ ଏବେ ସ୍ପର୍ଶ ବିବାଦ ଜୋର ଧରିଛି।   ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ବୈଠକରେ ନିଷ୍ପତ୍ତି ହେଲା । ଜାତୀୟ ରାଜପଥ କଡ଼ରେ ବଡ଼ ବଡ଼ ହୋର୍ଡିଙ୍ଗ୍ ଲାଗିଲା । ଚାରି ଚାରିଟି ଭାଷାରେ କୁହାଗଲା, ରଥରେ ଭଗବାନଙ୍କୁ ଛୁଇଁବା ମନା । ଛୁଇଁଲେ କଡ଼ା କାର୍ଯ୍ୟାନୁଷ୍ଠାନ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଥିଲା ପ୍ରଶାସନ। କିନ୍ତୁ ନିର୍ଦ୍ଦେଶର ହେଲା ଖୋଲା ଉଲ୍ଲଂଘନ । ଘୋଷଯାତ୍ରାର ପହଣ୍ଡି ବେଳେ କିଛି ଲୋକ, ରଥରେ ଚଢ଼ି ଶ୍ରୀବିଗ୍ରହଙ୍କୁ ଛୁଇଁଛନ୍ତି ।  ଏପରିକି ସେବାୟତ ବେଶରେ କିଛି ବ୍ୟକ୍ତି ରଥ ଉପରକୁ ଚଢ଼ିମଧ୍ୟ ଯାଇଥିଲେ। ଯାହାକୁ ନେଇ ରଥଯାତ୍ରା ପରିଚାଳନାରେ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି । ଦଇତା ସେବାୟତ କହୁଛନ୍ତି, ଭକ୍ତଙ୍କର ଭଗବାନଙ୍କୁ ଛୁଇଁବାର ଅଧିକାର ଅଛି । ଖାସ୍ ଏଇଥି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବାକୁ କହିଲେଣି ସେବାୟତ ।

ଘୋଷଯାତ୍ରା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିପାରି ନଥିବା ପୁରୀ ଜିଲ୍ଲା ପ୍ରଶାସନ କିନ୍ତୁ କହୁଛି ଆଇନ କାନୁନର କଥା । ଯେ କେହି ଲୋକ ଚାହିଁଲେ, କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିପାରିବ । କିନ୍ତୁ ପ୍ରଶାସନ ତା କାମ ନିଶ୍ଚିତ କରିବ । ସ୍ପର୍ଶକୁ ନେଇ ପ୍ରଶାସନ ଓ ସେବାୟତ ଏବେ  ମୁହାଁମୁହିଁ ହୋଇଛନ୍ତି। ତେବେ ତିନି ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚିବା ପରେ ପ୍ରଶାସନ ସଜାଗ ହୋଇଛି। ତେଣୁ କେହି ସାଧାରଣ ଲୋକେ ରଥରେ ଚଢ଼ିବାକୁ ଦୁଃସାହାସ କରି ନାହାନ୍ତି। ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି।