ଜେନେରାଲ ବିପିନ ରାୱତଙ୍କ ସ୍ମୃତିରେ ୟୁଏସ୍‌ଆଇର ଚେୟାର ଅଫ୍‌ ଏକ୍ସିଲେନ୍ସ ଘୋଷଣା

ଭାରତର ପ୍ରଥମ ପ୍ରତିରକ୍ଷା ବିଭାଗର ଅଧ୍ୟକ୍ଷ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ସ୍ମୃତିରେ ସେନା ମୁଖ୍ୟ ଜେନେରାଲ ଏମ୍‌ ନରଓ୍ବଣେ ‘ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ୟୁଏସ୍‌ଆଇ)’ରେ ଚେୟାର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା ଘୋଷଣା କରିଛନ୍ତି। ମଙ୍ଗଳବାର ଜେନେରାଲ ରାୱତଙ୍କ ୬୫ତମ ଜନ୍ମ ବାର୍ଷିକୀ ଅବସରରେ ଏହି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ସେନା ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ୟୁଏସ୍‌ଆଇ ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ମେଜର ଜେନେରାଲ ବି.କେ ଶର୍ମାଙ୍କୁ ୫ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଛି। ଏହାକୁ ‘ଚେୟାର ଅଫ୍‌ ଏକ୍ସିଲେନ୍ସ’ର ସମ୍ମାନଜନକ ରାଶି ଭାବରେ ପ୍ରଦାନ କରାଯାଇଛି। ଜେନେରାଲ ବିପିନ ରାୱତଙ୍କ ସ୍ମୃତି ‘ଚେୟାର ଅଫ୍‌ ଏକ୍ସିଲେନ୍ସ’ ସଶସ୍ତ୍ର ବାହିନୀ ମଧ୍ୟରେ ଏକତା ଏବଂ ଅଖଣ୍ଡତା ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଏତଦ୍‌ ବ୍ୟତୀତ ଏହି ସମ୍ମାନ ଜେନେରାଲ ରାୱତଙ୍କ ନେତୃତ୍ୱ ତଥା ବୃତ୍ତିଗତ ଜ୍ଞାନ କୌଶଳ ପାଇଁ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ବୋଲି ସେନା ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୮ ରେ ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କର ମୃତ୍ୟୁ ଘଟିଥିଲା।