ଜେଏସପିଏଲ ଫାଉଣ୍ଡେସନ୍ର ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ପାଇଁ ମୂଲ୍ୟାୟନ

ଜାତୀୟସ୍ତରରେ ୧୦ଜଣ ବ୍ୟକ୍ତିବିଶେଷ ଓ ୧୦ଟି ଅନୁଷ୍ଠାନକୁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ପ୍ରଦାନ

ଭୁବନେଶ୍ୱର : ଜେଏସପିଏଲ୍ ଫାଉଣ୍ଡେସନ୍ ଦ୍ୱାରା ପ୍ରତିଷ୍ଠିତ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନର ତୃତୀୟ ସଂସ୍କରଣ ନିମନ୍ତେ ପୂର୍ବଭାରତରୁ ଆସିଥିବା ନାମାଙ୍କନର ଆଞ୍ଚଳିକ ମୂଲ୍ୟାୟନ କୋଲକାତାରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରୁ ମୋଟ ୧୧୨ଟି ନାମାଙ୍କନ

ଆସିଥିବାବେଳେ ୬୦ଟି ନାମାଙ୍କନକୁ ମୂଲ୍ୟାୟନ ନିମନ୍ତେ ବଛା ଯାଇଥିଲା । ସେମାନଙ୍କ ମଧ୍ୟରୁ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ଦ୍ୱାରା ୧୦ଜଣ ବ୍ୟକ୍ତିବିଶେଷ ଓ ୧୦ଟି ଅନୁଷ୍ଠାନକୁ ଜାତୀୟସ୍ତରୀୟ ମୂଲ୍ୟାୟନ ନିମନ୍ତେ ଚୟନ କରାଯାଇଥିଲା । ପୂର୍ବାଞ୍ଚଳ ବିଚାରକମଣ୍ଡଳୀ ମଧ୍ୟରେ କୋଲକାତା ପ୍ରେସ୍ କ୍ଲବ୍ର ସଭାପତି ସ୍ନେହାଶିଷ ସୁର, ସ୍ୱନାମଧନ୍ୟ କଳାକାର ଦେବାଶିଷ ମଲିକ ଚୌଧରୀ, ପରିବେଶବିତ୍ ଡ. ଦୀପାୟନ ଦେ, ନାବାର୍ଡର ପୂର୍ବତନ ସିଜିଏମ୍ ଡ. ସନ୍ଦିପ ଘୋଷ ଏବଂ ସିନି-ଏସ୍ଡବ୍ଲ୍ୟୁଏସ୍ର ସମ୍ପାଦକ ସୁଜୟ ରାୟ ପ୍ରମୁଖ ସାମିଲ ହୋଇଥିଲେ ।

ଜେଏସପିଏଲ୍ ଫାଉଣ୍ଡେସନ୍ର ସହଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ଜାତୀୟସ୍ତରରେ ୧୦ଜଣ ବ୍ୟକ୍ତିବିଶେଷ ଓ ୧୦ଟି ଅନୁଷ୍ଠାନକୁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ପ୍ରଦାନ କରାଯିବ । ପ୍ରତ୍ୟେକ ବିଜେତାଙ୍କୁ ୧ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯିବ । ଏହି ଆଞ୍ଚଳିକ ମୂଲ୍ୟାୟନ ପ୍ରକ୍ରିୟାକୁ ଜେଏସପିଏଲ ସିଏସ୍ଆର୍ ମୁଖ୍ୟ ପ୍ରଶାନ୍ତ ହୋତା ପରିଚାଳନା କରିଥିଲେ ।