ଜାଗ୍ରିତି ଯାତ୍ରାରେ ସାରା ଭାରତ ଭ୍ରମଣ କରିବେ ଓଡ଼ିଆ ଉଦ୍ୟୋଗୀ

ଯାତ୍ରାରେ ୧୦ ନାନୋ ୟୁନିକର୍ଣ୍ଣ ଓ ୧୦ ଷ୍ଟାଟଅପ୍ ସାମିଲ

ଭୁବନେଶ୍ୱର: ଜାଗ୍ରିତି ଯାତ୍ରାରେ ସାରା ଭାରତ ଭ୍ରମଣ କରିବେ ଓଡ଼ିଆ ଉଦ୍ୟୋଗୀ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ)ତତ୍ୱାବଧାନରେ ଓଡ଼ିଶାରୁ ୧୦ଜଣ ନାନୋ ୟୁନିକର୍ଣ୍ଣ ଓ ୧୦ ଜଣ ଷ୍ଟାର୍ଟ ଅପ୍ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।

ଓଡ଼ିଶାର ଏହି ଉଦ୍ୟୋଗୀମାନେ ଆଜି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ । ତେଣୁ ଏ ନେଇ ସ୍ଥାନୀୟ ସିୱାଇଏସଡିଠାରେ ଓଏସଡିଏ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ଯୋଗ ଦେଇ ଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଳେ । ସେ କହିଥିଲେ ଯେ ଜଣେ ସଫଳ ବ୍ୟବସାୟୀ ହେବା ନିମନ୍ତେ ଭ୍ରମଣ କରିବାର ଆବଶ୍ୟକତା ରହିଛି । ଏହି ଯାତ୍ରାରେ ଓଡ଼ିଶାର ଆମ୍ବାସଡର ହୋଇ ବିଭିନ୍ନ ପ୍ରାନ୍ତର ଯାତ୍ରୀଙ୍କ ସହ ମିଶି ନୂଆ କଥା ଶିଖି ଅଭିଜ୍ଞତା ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହି ଯାତ୍ରାରେ ପ୍ରାୟ ୧୫ଦିନ ଗୋଟିଏ ଟ୍ରେନରେ ୭ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ୪୫୦ ଯାତ୍ରୀ ୧୨ଟି ସହର ପରିଭ୍ରମଣ କରିବେ । ୨୪ଡିସେମ୍ବରରୁ ମୁମ୍ବାଇ ଦେଶର ଅନ୍ୟ ପ୍ରାନ୍ତର ଉଦ୍ୟୋଗୀମାନଙ୍କ ସହ ମିଶି ଏହି ଯାତ୍ରା ଆରମ୍ଭ ହେବ । ସୂଚନାଯୋଗ୍ୟ,ଭାରତରୁ ୧୫ ହଜାର ଆଶାୟୀ ଏଥିନିମନ୍ତେ ଆବେଦନ କରିଥିଲେ । ସେଥିମଧ୍ୟରୁ କେବଳ ୪୫୦ ଜଣଙ୍କୁ ଚୟନ କରାଯାଇଥିଲା । ତନ୍ମମଧ୍ୟରୁ ୨୦ଜଣ ହେୁଛନ୍ତି ଓଡ଼ିଶାର ଉଦ୍ୟୋଗୀ ।

ଡିସେମ୍ବର ୨୪ରେ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସଠାରେ ସକାଳ ୮ଟାରେ ଶୁଭାରମ୍ଭ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି । ଏହି ଜାଗ୍ରିତି ଯାତ୍ରା ଟ୍ରେନ୍ ଜାନୁୟାରୀ ୮ରେ ପ୍ରତ୍ୟାବର୍ତନ କରିବ । ଏହି ଯାତ୍ରା ମୁମ୍ବାଇରୁ ଆରମ୍ଭ ହୋଇ ହୁବଲି, ବେଙ୍ଗାଲୁରୁ, ମଦୁରାଇ, ଚେନ୍ନାଇ, ବିଶାଖାପାଟନମ୍, ବ୍ରହ୍ମପୁର, ରାଜିଗିର, ଦେଓରିଆ, ଦିଲ୍ଲୀ, ତେଲୋନିଆ ଓ ଅହମ୍ମଦାବାଦ ସହର ଦେଇ ମୁମ୍ବାଇ ପହଂଚିବ ।

ସମସ୍ତ ଯାତ୍ରୀ ଡିସେମ୍ବର ୩୧ରେ ବ୍ରହ୍ମପୁର ପହଂଚିବା ପରେ ବ୍ରହ୍ମପୁରସ୍ଥିର ଗ୍ରାମ ବିକାଶ ସଂସ୍ଥାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ, ଶ୍ରୀ ସଞ୍ଜୟ କୁମାର ସିଂ ସେମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଓଡ଼ିଶାର ଏହି ଉଦ୍ୟୋଗୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଯାତ୍ରାର ବିଶେଷତ୍ୱ ହେଲା ଟ୍ରେନ୍ ମଧ୍ୟରେ ହିଁ ସମସ୍ତ ପାଠ୍ୟକ୍ରମ ପ୍ରଦାନ କରାଯିବ । ସିୱାଇଏସଡିରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳୀ ମିଶ୍ର, ସଞ୍ଜଗୀତା ମିଶ୍ର, ପ୍ରଶାନ୍ତ ବିଶ୍ୱାଳ, ଦୀପକ ସାହୁ ଓ ସୌମେନ୍ଦ୍ର ଦାସ ଉପସ୍ଥିତ ଥିଲେ ।