ଜମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ପାଇଁ ସ୍ଥାନ ସଂରକ୍ଷଣ

ଖୁବଶୀଘ୍ର ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ଆଶା କରାଯାଉଛି । ଜମ୍ମୁ-କାଶ୍ମୀରର ସୀମା ନିର୍ଦ୍ଧାରଣ କରିବାକୁ ଯେଉଁ କମିଟି ଗଠନ କରାଯାଇଥିଲା ସେହି କମିଟି ଏବେ ଗୃହ ବିଭାଗକୁ ରିପୋର୍ଟ ପ୍ରଦାନ କରିଛି । କମିଟିର ରିପୋର୍ଟ ମୁତାବକ ଜମ୍ମୁ-କାଶ୍ମୀରରେ ବିଧାନସଭା ଆସନ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି ।

ଏହି କ୍ରମରେ ଜମ୍ମୁରେ ୬ ଟି ଓ କାଶ୍ମୀରରେ ଗୋଟିଏ ବିଧାନସଭା ଆସନ ବୃଦ୍ଧି କରିବାକୁ କମିଟି ତରଫରୁ ସୁପାରିଶ କରାଯାଇଛି । ଯଦି କେନ୍ଦ୍ର ଗୃହ ବିଭାଗର ଏହି କମିଟିର ପରାମର୍ଶକୁ ଗ୍ରହଣ କରନ୍ତି ତେବେ ଜମ୍ମୁ-କାଶ୍ମୀରରେ ମୋଟ ବିଧାନସଭା ଆସନରୁ ୮୩ ରୁ ୯୦ କୁ ବୃଦ୍ଧି ପାଇବ । ଏହାସହ ସୀମା ନିର୍ଦ୍ଧାରଣ କମିଟି କାଶ୍ମୀର ପଣ୍ଡିତଙ୍କ ପାଇଁ ୨ ଟି ଆସନ ସଂରକ୍ଷଣ ରଖିବାକୁ ବି ପରାମର୍ଶ ଦେଇଛି ।

କହିରଖୂ କି ଏହି ପରାମର୍ଶର ଏକ କପି ସରକାରଙ୍କୁ ପ୍ରଦାନ କରାଯିବ । ଏହି ରିପୋର୍ଟରେ ନିର୍ବାଚନ କ୍ଷେତ୍ର ସଂଖ୍ୟା, ପରିସୀମା, ଜନସଂଖ୍ୟା ଆଦିର ବିସ୍ତୁତ ବିବରଣୀ ରହିବ । ଏହାପରେ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ପରାମର୍ଶକୁ ଲାଗୁ କରାଯିବ ବୋଲି କୁହାଯାଇଛି ।

ସେପଟେ ଜମ୍ମୁ-କାଶ୍ମୀର ସୀମା ନିର୍ଦ୍ଧାରଣ କମିଟି ପ୍ରଥମଥର ପାଇଁ ଅନୁସୂଚିତ ଜନଜାତିଙ୍କ ପାଇଁ ୯ ଟି ଆସନ ସଂରକ୍ଷିତ କରିଛି । ସୂଚନା ଥାଉକି ୨୦୨୦ ମସିହାରେ ସୀମା ନିର୍ଦ୍ଧାରଣ ଆୟାଗ ଗଠନ କରାଯାଇଥିଲା । ୨୦୨୧ ମଇ ମାସରେ ଏହି ଆୟୋଗର କାର୍ଯ୍ୟକାଳ ଗୋଟିଏ ବର୍ଷ ବୃଦ୍ଧି କରାଯାଇଥିଲା । ଆୟୋଗର କାର୍ଯ୍ୟକାଳ ସରିବାକୁ ମାତ୍ର କେଇଟା ଦିନ ବାକି ଥିବା ବେଳେ ଏବେ ଆୟୋଗ ରିପୋର୍ଟ ପ୍ରଦାନ କରିଛି ।