ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଗୁରୁବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣ ଏବଂ ଗ୍ରୁପ୍ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।
ସ୍ୱତନ୍ତ୍ର ସିବିଆଇ ବିଚାରପତି ସଞ୍ଜୀବ ଅଗ୍ରୱାଲ ମାମଲାରେ ଗୁରୁତ୍ୱକୁ ନେଇ ଚିତ୍ରା ଏବଂ ଆନନ୍ଦଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଚିତ୍ରାଙ୍କ ପ୍ରଥମ ଜାମିନ ଆବେଦନ ଖାରଜ ହୋଇଥିବା ବେଳେ ଆନନ୍ଦଙ୍କ ଦ୍ୱିତୀୟ ଜାମିନ ଆବେଦନ ଖାରଜ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତଙ୍କ ଓକିଲ ଅରଶଦୀପ ସିଂଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ଏହା ପୂର୍ବରୁ ସିବିଆଇ ପକ୍ଷରୁ ମଧ୍ୟ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା। ଅଭିଯୁକ୍ତଙ୍କୁ ଜାମିନ ଦିଆଗଲେ ସାକ୍ଷୀମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏପରିକି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯିବ ବୋଲି ସିବିଆଇ ପକ୍ଷରୁ ଯୁକ୍ତି କରାଯାଇଥିଲା। ସୂଚନା ମୁତାବକ, ମାର୍ଚ୍ଚରେ ଦେଶର ସର୍ବବୃହତ ଷ୍ଟକ ଏକ୍ସଚେଞ୍ଜରେ ହୋଇଥିବା ଅନିୟମିତତା ମାମଲାରେ ଚିତ୍ରା ରାମକୃଷ୍ଣ ଏବଂ ଆନନ୍ଦ ସୁବ୍ରମଣ୍ୟନଙ୍କୁ ଗିରଫ କରିଥିଲା।